ଓଡିଶା

odisha

ETV Bharat / state

ଅନିଦ୍ରା ରହିଲେ ମହାପ୍ରଭୁ, ଶ୍ରୀମନ୍ଦିରରେ ନନ୍ଦୋତ୍ସବ ନୀତିରେ ବିଳମ୍ବ - ଭକ୍ତଙ୍କ ମହଲରେ ଅସନ୍ତୋଷ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନନ୍ଦୋତ୍ସବ ନୀତିରେ ବିଳମ୍ବ ଯୋଗୁଁ ମହାପ୍ରଭୁଙ୍କୁ ଅନିଦ୍ରା ରହିବାକୁ ପଡିଛି। ଯାହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଅଧିକ ପଢନ୍ତୁ

delay in the nandotsava rituals
ଶ୍ରୀମନ୍ଦିରରେ ନନ୍ଦୋତ୍ସବ ନୀତିରେ ବିଳମ୍ବ

By ETV Bharat Odisha Team

Published : Sep 8, 2023, 4:08 PM IST

ପୁରୀ:ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନନ୍ଦୋତ୍ସବ ନୀତିରେ ବିଭ୍ରାଟ। ନୀତି ବିଳମ୍ବ ଯୋଗୁଁ ଅନିଦ୍ରା ରହିଲେ ମହାପ୍ରଭୁ। ଗତକାଲି ମହାପ୍ରଭୁ ପହୁଡ଼ ହୋଇନାହାଁନ୍ତି। ଶ୍ରୀମନ୍ଦିରରେ ନନ୍ଦୋତ୍ସବ ନୀତି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ଗତକାଲିର ସନ୍ଧ୍ଯା ଆଳତୀ ଆଜି ଭୋର ୪ଟା ୧୫ରେ ସମ୍ପନ୍ନ ହୋଇଥିଲା। ସେପଟେ ମହାପ୍ରଭୁଙ୍କର ପହୁଡ଼ ହୋଇନଥିବାରୁ ଦ୍ୱାର ଫିଟା ମଧ୍ୟ ହୋଇନାହିଁ । ସକାଳ ୬ଟା ୩୦ମିନିଟରେ ପୂଜାପଣ୍ଡା ସେବକଙ୍କ ଦ୍ୱାରା ମଙ୍ଗଳ ଆଳତି ସମ୍ପନ୍ନ ହେବା ପରେ ଦୈନନ୍ଦିନର ଅନ୍ଯାନ୍ଯ ନୀତି ବଢିଛି ।

ସେପଟେ ଯେହେତୁ ମହାପ୍ରଭୁ ରାତି ପହୁଡ ହୋଇନାହାଁନ୍ତି ଏଣୁ ସାଧାରଣ ଦର୍ଶନ ଚାଲୁ ରହିଛି । ଭକ୍ତମାନେ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରି ସାନ୍ନିଧ୍ୟ ଲାଭ କରୁଛନ୍ତି । ତେବେ ମହାପ୍ରଭୁଙ୍କୁ ଅନିଦ୍ରା ରଖିବା ଏବେ ନିତିଦିନିଆ କଥା ହୋଇଗଲାଣି । ଯଦିଓ ଗତକାଲି ନନ୍ଦୋତ୍ସବ ଯୋଗୁଁ ଅନେକ ନୀତିକାନ୍ତି ରହିଥିଲା । ହେଲେ ବି ନନ୍ଦୋତ୍ସବକୁ ଦୃଷ୍ଟିରେ ରଖି ପୂର୍ବରୁ ନୀତି ସଅଳ କରିବାର ଆବଶ୍ୟକତା ଥିଲା । ମାତ୍ର ସମନ୍ୱୟର ଅଭାବ ଯୋଗୁଁ ବିଭିନ୍ନ ସମୟରେ ନୀତିକାନ୍ତିରେ ବିଭ୍ରାଟ ସୃଷ୍ଟି ହେଉଥିବା ସ୍ପଷ୍ଟ ବାରି ହୋଇପଡୁଛି । ସେବାୟତମାନେ ଏଥିପ୍ରତି ଯତ୍ନଶୀଳ ହେଉନଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି । ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ହେବା ପରେ ବି ଅଧିକ ବିଶୃଙ୍ଖଳା ହେଉଥିବା ନଜର ଆସୁଥିବା ନେଇ ମତ ପ୍ରକାଶ ପାଇଛି ।

ଯେଉଁ ଦିନ ଅଧିକ ନୀତି ରହୁଛି, ସେଦିନ କିଭଳି ନୀତି ଶୃଙ୍ଖଳିତ ହେବ ସେନେଇ ସେବାୟତ ନିଯୋଗ ସହ ଆଲୋଚନା କରି ଉପଯୁକ୍ତ ମନିଟରିଂ କରାଯିବାର ଆବଶ୍ୟକତା ରହିଛି । ମାତ୍ର ଏଥିପ୍ରତି ଦୃଷ୍ଟି ନଦେଇ ବେପରୁଆ ଭାବେ ବସିଯିବା ଉଚିତ ନୁହେଁ ବୋଲି କହିଛନ୍ତି ବୁଦ୍ଧିଜୀବୀ । ଫଳରେ ଏଥିପାଇଁ ମନ୍ଦିରରେ ବିଭିନ୍ନ ସମୟରେ ନୀତିକାନ୍ତିରେ ସମସ୍ଯା ସୃଷ୍ଟି ହେଉଛି । ଆଉ ଖାସକରି ଏଥିପାଇଁ ମହାପ୍ରଭୁଙ୍କୁ ରାତି ଉଜାଗର ମଧ୍ୟ ରହିବାକୁ ପଡ଼ୁଛି ।

ଏହା ବି ପଢନ୍ତୁ...ଉପାସରେ ମହାପ୍ରଭୁ ଲିଙ୍ଗରାଜ, କାଲି ସନ୍ଧ୍ୟାରୁ ବନ୍ଦ ରହିଛି ନୀତିକାନ୍ତି

ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଗତ ରଥଯାତ୍ରାରେ ମଧ୍ୟ ଅନେକ ନୀତିରେ ବିଶୃଙ୍ଖଳା ହୋଇଥିଲା । ଫଳରେ ମହାପ୍ରଭୁଙ୍କ ଅନେକ ନୀତି ବିଳମ୍ବିତ ହୋଇଥିଲା । ଯାହାକୁ ନେଇ ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସେବାୟତ ନିଯୋଗ ସହ ତାଳମେଳ ରଖି ନପାରିବା ଘଟଣାକୁ ନେଇ ଜଗନ୍ନାଥ ପ୍ରେମୀ ସମାଲୋଚନା କରିଛନ୍ତି । ତୁରନ୍ତ ନୀତି ଶୃଙ୍ଖଳା ଦିଗରେ ରାଜ୍ୟ ସରକାର ପଦକ୍ଷପ ନେବାକୁ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details