ପୁରୀ: ଆଜି ଶ୍ରୀମନ୍ଦିରରେ ଖଳିଲାଗି ଏକାଦଶୀ । ଦଶମୂଳ ମହୌଷଧି ସେବନ ପରେ ସୁସ୍ଥ ହେବେ ଶ୍ରୀଜିଉ । ପୂର୍ବଭଳି କୋଳାହଳମୟ ହେବ ଶ୍ରୀମନ୍ଦିର । ପୁଣି ବାଜିବ ବିଜେ କାହାଳୀ । ଏହି ଅବସରରେ ଶ୍ରୀଜିଉଙ୍କ ପୂର୍ଣ୍ଣାଙ୍ଗ ସର୍ବାଙ୍ଗ ହେବ । ଅର୍ଥାତ ସମ୍ପୂର୍ଣ୍ଣ ଶ୍ରୀଅଙ୍ଗରେ ଚନ୍ଦନଲାଗି ଅନୁଷ୍ଠିତ ହେବ । ଅଣସର ଘରେ ଦାରୁ ଦିଅଁଙ୍କ ସହ ଦଶ ଠାକୁରଙ୍କ ଚନ୍ଦନ ଲାଗି ଅନୁଷ୍ଠିତ ହେବ । ବଡ଼ସିଂହାର ବେଶରେ ଠାକୁରେ ଗୀତଗୋବିନ୍ଦ ପାଟ ପରିଧାନ କରିବେ । ଜଗନ୍ନାଥ ସଂସ୍କୃତିରେ ଅନବସର ସମୟରେ ଏହି ଖଳିଲାଗି ଏକାଦଶୀର ବେଶ ମାହାତ୍ମ୍ୟ ରହିଛି ।
ମହାପ୍ରଭୁଙ୍କ ଅନବସର ନୀତି ମଧ୍ୟରେ ପ୍ରଥମ ଥର ପାଇଁ ଏହି ଖଳିଲାଗି ଏକାଦଶୀରେ ନାଲି ଫୁଲ, ସୁବାସିତ ଫୁଷ୍ପ ଓ ତୁଳସୀ ଆଦି ମହାପ୍ରଭୁଙ୍କ ଠାରେ ଲାଗି ହୋଇଥାଏ । ନୂତନ କରି ବିଭିନ୍ନ ଫଳମୂଳ ସହ ୧୦୮ ପ୍ରକାର ଭୋଗ ଠାକୁରଙ୍କୁ ଅର୍ପଣ ହୋଇଥାଏ । ଶ୍ରୀମନ୍ଦିରରେ ଖଳିଲାଗି ଏକାଦଶୀ ଅବସରରେ ଠାକୁରଙ୍କ ଏହିସବୁ ରୀତିନୀତି ସମ୍ପନ୍ନ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବସ୍ତ୍ର ଶ୍ରୀମନ୍ଦିରରେ ପହଞ୍ଚିଛି । ଅଣସର ସମୟର ଶୁଭ୍ର ବସ୍ତ୍ର ପରିତ୍ୟାଗ କରିଥିଲେ ଶ୍ରୀଜିଉ । ଏକାଦଶୀ ଠାରୁ ସାଧାରଣ ଦିନ ଭଳି ବିଭିନ୍ନ ରଙ୍ଗୀନ ଓ ସୁବାସିତ ପୁଷ୍ପ ଲାଗିହେବେ ମହାପ୍ରଭୁ । ଠାକୁରଙ୍କ ସବୁଠାରୁ ପ୍ରିୟ ତୁଳସୀ ମଧ୍ୟ ଗତ ୧୦ ଦିନ ପର୍ଯ୍ୟନ୍ତ ବାରଣ ଥିଲା । ଏକାଦଶୀରେ ମହାପ୍ରଭୁଙ୍କୁ ତୁଳସୀ ଲାଗି ହୋଇଥାଏ ।