ପୁରୀ:ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ଆଜି ଅହେତୁକ ବିଳମ୍ବ ହୋଇଛି । ମହାପ୍ରଭୁଙ୍କ ଦ୍ବାର ଫିଟା ନୀତି ସହ ମଙ୍ଗଳ ଆଳତୀ ବିଳମ୍ବରେ ଅନୁଷ୍ଠିତ ହୋଇଛି । ଫଳରେ ଦୁଇ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଲାଇନରେ ଛିଡା ହୋଇ କଲବଲ ହୋଇଛନ୍ତି ହଜାର ହଜାର ଭକ୍ତ । ବିଶୃଙ୍ଖଳିତ ନୀତିକାନ୍ତି ଯୋଗୁଁ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗତକାଲି ଶ୍ରୀପଞ୍ଚମୀ ଅବସରରେ ଶ୍ରୀମନ୍ଦିରରେ ନୀତି ଏବଂ ମହାପ୍ରଭୁଙ୍କ ଚାଚେରୀ ବେଶ ନୀତିରେ ଅହେତୁକ ବିଳମ୍ବ ହୋଇଥିଲା । ଯାହାଫଳରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ରାତିରେ ନହୋଇ ଆଜି ଭୋର ୫ଟା ୦୫ରେ ଅନୁଷ୍ଠିତ ହୋଇଥିଲା । ପରେ ଶ୍ରୀମନ୍ଦିର ଦ୍ବାର ଫିଟା ନୀତି ୭ଟା ୨୫ ଓ ମଙ୍ଗଳ ଆଳତୀ ୮ଟା ୦୫ରେ ଅନୁଷ୍ଠିତ ହୋଇଥିଲା ।
ପ୍ରତିଦିନ ସକାଳେ ସାଢେ ୬ଟା ସୁଦ୍ଧା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଶେଷ ହେଉଥିବା ବେଳେ ଆଜି ପାଖାପାଖି ଦେଢ଼ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ବିଳମ୍ବ ହୋଇଥିଲା । ଫଳସୂରୁପ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ହଜାର ହଜାର ଭକ୍ତ ବ୍ୟାରିକେଡ଼ ଭିତରେ ପ୍ରବଳ ଭିଡ଼ ଭିତରେ ଦୀର୍ଘ ସମୟ ଧରି ଛିଡା ହୋଇରହିଥିଲେ । ଏହାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିବା ସହ ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି ଉପରେ ପ୍ରଶାସନ ଗୁରୁତ୍ବ ଦେବା ଆବଶ୍ୟକ ବୋଲି କହିଛନ୍ତି । ଶ୍ରୀମନ୍ଦିରରେ ଚାଲିଥିବା ନୀତିକାନ୍ତି ବିଷୟରେ ସୂଚନା ଦେବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ଭକ୍ତମାନେ ଦାବି କରିଛନ୍ତି ।