ପୁରୀ: ମହିଳା ସଶକ୍ତିକରଣ ଓ ମହିଳା ସୁରକ୍ଷା ବାର୍ତ୍ତା ପ୍ରଚାର ପାଇଁ ଯୁବତୀଙ୍କ ଅଭିନବ ପ୍ରୟାସ । ସାଇକେଲରେ ବିଭିନ୍ନ ରାଜ୍ୟକୁ ଭ୍ରମଣ କରି ସଚେତନତା ବାଣ୍ଟୁଛନ୍ତି ମଧ୍ୟପ୍ରଦେଶର ବାସିନ୍ଦା ଆଶା ମାଲବିୟ । ଏହି କ୍ରମରେ ସେ ଓଡ଼ିଶାରେ ପହଞ୍ଚିଥିବା ବେଳେ ପୁରୀ ଆସି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଓଡ଼ିଶାରେ ଆସି ସେ ବହୁତ୍ ଖୁସି ଥିବା କହିଛନ୍ତି ।
ଓଡ଼ିଶାରେ ସାଇକେଲରେ ଭ୍ରମଣ କରିବା ବେଳେ ଆଶା ମାଲବିୟ ବିଭିନ୍ନ ସ୍ଥାନରେ ମହିଳାଙ୍କ ସୁରକ୍ଷା ଓ ସଶକ୍ତିକରଣ ବାର୍ତ୍ତା ବାଣ୍ଟିଛନ୍ତି । ଲୋକମାନେ ମଧ୍ୟ ତାଙ୍କୁ ସହଯୋଗ କରିଥିବା ଦେଖିବାକୁ ମିଳିଛି । ଓଡ଼ିଶା ଭ୍ରମଣ ସମୟରେ ସେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଭେଟିଛନ୍ତି । ସେହିପରି ଓଡ଼ିଶା ପୋଲିସ ଡିଜି ସୁନିଲ ବଂଶଲ, ଭୁବନେଶ୍ଵର ପୋଲିସ କମିଶନର, ଡିସିପିଙ୍କୁ ଭେଟି ତାଙ୍କ ଯାତ୍ରାର ଉଦ୍ଦେଶ୍ୟ ନେଇ ଆଲୋଚନା ଓ ସଚେତନତା ବାର୍ତ୍ତା ଦେଇଛନ୍ତି ।
ମହିଳାଙ୍କ ସୁରକ୍ଷା ଓ ସଶକ୍ତିକରଣ ପାଇଁ ଆଶାଙ୍କ ସାଇକେଲରେ ଭାରତ ଯାତ୍ରାକୁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବେଶ୍ ପ୍ରଶଂସା କରିଛନ୍ତି । ଆଶା କହିଛନ୍ତି, "ଆଜିର ସମୟରେ ମହିଳାମାନେ ନିଜକୁ ଦୁର୍ବଳ ଭାବିବା ଠିକ୍ ନୁହେଁ । ମହିଳାଙ୍କ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ମହିଳାମାନେ ଆତ୍ମ ବିଶ୍ବାସ ରଖି ସବୁ କାର୍ଯ୍ୟରେ ଲାଗିଲେ ନିଶ୍ଚିତ ସଫଳ ହେବେ । ସେହିପରି ମହିଳାମାନେ ମାନସିକ ସ୍ତରରେ ଦୃଢ଼ ହେବା ଉଚିତ୍। ନ ହେଲେ ସବୁ ସ୍ଥାନରେ ନିଜକୁ ଅସୁରକ୍ଷିତ ଲାଗିବ ।"