ଓଡିଶା

odisha

By

Published : Feb 18, 2023, 1:15 PM IST

Updated : Feb 18, 2023, 4:36 PM IST

ETV Bharat / state

Mahashivratri: ଜାଗର ପାଇଁ ଚଳଚଞ୍ଚଳ ଲୋକନାଥ ପୀଠ, ଉଜାଗର ରହି ଦୀପ ଜାଳିବେ ଶ୍ରଦ୍ଧାଳୁ

ମହାଶିବରାତ୍ରୀ ପାଇଁ ଲୋକାରଣ୍ୟ ପୁରୀର ପ୍ରସିଦ୍ଧ ଲୋକନାଥ ପୀଠ । ବିଶ୍ୱାସ ରହିଛି ଲୋକନାଥଙ୍କ ନିକଟରେ ଜାଗରରେ ଉଜାଗର ରହି ଦୀପ ଜାଳିଲେ ସବୁ ମାନସିକ ପୂରଣ ହୁଏ । ଅଧିକ ପଢନ୍ତୁ

ପୁରୀ ଲୋକନାଥ ପୀଠରେ ଜାଗରଯାତ୍ରା
ପୁରୀ ଲୋକନାଥ ପୀଠରେ ଜାଗରଯାତ୍ରା

ପୁରୀ ଲୋକନାଥ ପୀଠରେ ଜାଗରଯାତ୍ରା

ପୁରୀ:ଆଜି ପବିତ୍ର ମହାଶିବରାତ୍ରି ତଥା ଜାଗରଯାତ୍ରା । ଏହି ଅବସରରେ ଚଳଚଞ୍ଚଳ ରହିଛି ପୁରୀର ବାବା ଲୋକନାଥଙ୍କ ପୀଠ । ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ଲୋକନାଥ ମନ୍ଦିରରେ । କିମ୍ବଦନ୍ତୀ ଅନୁଯାୟୀ ଶ୍ରୀରାମଙ୍କ ସମୟରୁ ପୁରୀରେ ସ୍ଥାପିତ ହୋଇଛନ୍ତି ବାବା ଲୋକନାଥ । ଏଣୁ ବାବା ଲୋକନାଥଙ୍କ ପୀଠରେ ମହାଶିବରାତ୍ରି ଉପଲକ୍ଷେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଜାଗର ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହେବ ସେନେଇ ପୋଲିସ୍, ପ୍ରଶାସନ, ଶ୍ରୀଲୋକନାଥ ଦେବ ଟ୍ରଷ୍ଠ ବୋର୍ଡ ପକ୍ଷରୁ କରାଯାଇଛି ବିଶେଷ ବ୍ୟବସ୍ଥା କରାଯାଇଛି ।

ନୀତିନିର୍ଘଣ୍ଟ ଅନୁସାରେ ଗତକାଲି ରାତି ସାଢେ ୧୨ଟାରେ ଦ୍ୱାରଫିଟା ନିତି ସମ୍ପର୍ଣ୍ଣ ହେବା ପରେ ମଙ୍ଗଳ ଆଳତୀ ସହ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ । ହଜାର ହଜାର ଭକ୍ତ ମନ୍ଦିରର ଗମ୍ଭୀରା ଭିତରେ ମହାପ୍ରଭୁ ଶ୍ରୀଲୋକନାଥଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି । ପ୍ରଶାସନ ପକ୍ଷରୁ ଦର୍ଶନ ବ୍ୟବସ୍ଥାକୁ ବେଶ୍ ଶୃଙ୍ଖଳିତ କରାଯାଇଛି । ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରୁଥିବା ବେଳେ ମୁଖ୍ୟଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି । ସ୍ୱତନ୍ତ୍ର ଦର୍ଶନ ପାଇଁ ଟିକେଟ ବ୍ୟବସ୍ଥା କରାଯାଇଛି । ୪ ହଜାର ଭକ୍ତଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଥିବା ବେଳେ ଟିକେଟ ମୂଲ୍ୟ ୧୦୦ ଟଙ୍କା ରଖାଯାଇଛି ।

ଲୋକନାଥଙ୍କ ପୀଠରେ ପଙ୍କୋଧାର ଏକାଦଶୀରୁ ମହାଶିବରାତ୍ରି ପର୍ଯ୍ୟନ୍ତ ତିନି ଦିନ ଧରି ଜାଗରଯାତ୍ରା ଅନୁଷ୍ଠିତ ହୋଇଥାଏ । ଯାହା ବିଶ୍ୱର କୌଣସି ଶୈବପୀଠରେ ହୋଇନଥାଏ । ପ୍ରଭୁ ଲୋକନାଥଙ୍କ ପୀଠର ଅନେକ ମାହାତ୍ମ୍ୟ ରହିଛି । ପୌରାଣିକ କିମ୍ବଦନ୍ତୀ ଅନୁସାରେ ମହାପ୍ରଭୁ ଶ୍ରୀରାମଚନ୍ଦ୍ର ବନବାସରେ ଥିବା ସମୟ ଲୋକନାଥ ମନ୍ଦିର ପ୍ରତିଷ୍ଠା କରି ପୂଜା କରିଥିଲେ । ସେହି ଆଧାରରେ ଭକ୍ତମାନେ ଲୋକନାଥଙ୍କୁ ଇଷ୍ଟ ଦେବତା ଭାବେ ପୂଜା କରିଥାନ୍ତି ।

ବିଶ୍ୱାସ ରହିଛି, ଲୋକନାଥଙ୍କ ନିକଟରେ ଜାଗରରେ ଉଜାଗର ରହି ଦୀପ ଜାଳିଲେ ସବୁ ମାନସିକ ପୂରଣ ହୋଇଥାଏ । ଏଣୁ ଆଜିର ଦିନରେ ଲକ୍ଷ ଲକ୍ଷ ଭକ୍ତ ଶ୍ରୀକ୍ଷେତ୍ରକୁ ଆସି ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀଲୋକନାଥଙ୍କୁ ଦର୍ଶନ କରିଥାନ୍ତି । ସବୁଠାରୁ ବଡକଥା ହେଲା ଆଜିର ଦିନରେ ଏହି ପୀଠରେ ହରିହର ଭେଟ ନୀତି ସମ୍ପର୍ଣ୍ଣ ହୋଇଥାଏ । ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ଶ୍ରୀଲୋକନାଥ ହରି ବେଶରେ ଲୋକନାଥ ପୀଠକୁ ବିଜେ କରିଥାନ୍ତି । ପୀଠର ଇଷ୍ଟଦେବ ଶ୍ରୀଲୋକନାଥ ହର ବେଶରେ ଭେଟ ନୀତି ସେବକଙ୍କ ଦ୍ୱାରା ସମ୍ପର୍ଣ୍ଣ ହୋଇଥାଏ । ଭକ୍ତମାନେ ହରିହର ଭେଟ ନୀତି ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଥାନ୍ତି ।

ନୀତି ନିର୍ଘଣ୍ଟ ଅନୁଯାୟୀ ରାତ୍ର ୪ଟାରେ ଉଠିବ ଲୋକନାଥଙ୍କ ମହାଦୀପ । ସେପଟେ ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ଏବଂ ଗହଳି ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଜାଗର ପଡିଆରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା, ଅଗ୍ନିଶମ ବ୍ୟବସ୍ଥା ସହ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତ ବର୍ଷ ଅଧିକ ସଂଖ୍ୟକ ଭକ୍ତଙ୍କ ଆଗମନକୁ ଲକ୍ଷ୍ୟରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଏଠାରେ ୧୫ ପ୍ଲାଟୁନ ଫୋର୍ସ ,୨ ଅତିରିକ୍ତ ଏସପି, ୫ ଡ଼ିଏସପି ରାଙ୍କର ଅଧିକାରୀ ଏବଂ ୮୨ ହୋମଗାର୍ଡ, ୭୨ କନଷ୍ଟେବଳ, ୪୧ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି । ମହାଶିବରାତ୍ରୀ ଅବସରରେ ରାତ୍ର ୧୨ଟା ୩୦ରୁ ଦ୍ୱାରଫିଟା ନୀତି ପରେ ରାତି ୧ଟାରେ ମଙ୍ଗଳ ଆଳତୀ ଆଦି ବଢି ୫ଟା ଭିତରେ ଗୋପାଳବଲ୍ଲଭ , ସକାଳ ଧୂପ ଓ ଦ୍ୱିପହର ଧୂପ ନୀତି ସମ୍ପର୍ଣ୍ଣ କରାଯାଇଛି । ଭୋରରୁ ରାତ୍ର ୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଓ ରାତ୍ର ୨ଟାରେ ହରିହର ଭେଟ ଓ ରାତ୍ର ୩ଟାରେ ମହାଦୀପ ଉଠିବା ପାଇଁ ବ୍ୟବସ୍ଥା କରାଯାଇଛି । ମହାଦୀପ ଉଠିବା ଯେଭଳି ବିଳମ୍ବ ନ ହୁଏ ସେଥିପ୍ରତି ସେବକମାନେ ଯତ୍ନବାନ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ପୁରୀ

Last Updated : Feb 18, 2023, 4:36 PM IST

ABOUT THE AUTHOR

...view details