ପୁରୀ:ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ(State Planning Board Deputy Chairman) ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ଘଟଣା । ମାମଲାର ତଦନ୍ତ ପାଇଁ ପୁରୀରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍(Crime Branch Team) । ଆଜି ଟିମ୍ ପ୍ରଥମେ ମୃତଦେହ ମିଳିଥିବା ସଦର ଥାନା ଗଡ଼ମୃଗଶିରା ବ୍ରିଜ ନିକଟ ନୂଆ ନଈପଠାକୁ ଯାଇ ତଦନ୍ତ କରିଛନ୍ତି । କିଭଳି ଏବଂ କେଉଁ ପରିସ୍ଥିତିରେ ମୃତଦେହ ଉଦ୍ଧାର ହୋଇଥିଲା ସେନେଇ ତଥ୍ୟ ହାସଲ କରିଛନ୍ତି ।
Chitta Ranjan Muder Case: ପୁରୀରେ ପହଞ୍ଚି ଛାନଭିନ କରୁଛି କ୍ରାଇମବ୍ରାଞ୍ଚ ଏହାପରେ କ୍ରାଇମବ୍ରାଞ୍ଚ ମୃତକ ଚିତ୍ତରଞ୍ଜନଙ୍କ ଘରକୁ ଯାଇ ତଦନ୍ତ କରିବ । ଇତିମଧ୍ୟରେ ସଦର ପୋଲିସ ଘଟଣାରେ ହୋଇଥିବା ତଦନ୍ତର ତଥ୍ୟ ଟିମକୁ ଦେଇଛି । ତେବେ କ୍ରାଇମବ୍ରାଞ୍ଚ ସ୍କାନରରେ ଆଉ କିଏ ଆସୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ସୂଚନାଯୋଗ୍ୟ, ବୁଧବାର ରାତିରେ ଟିମ୍ ପ୍ରଥମେ ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ବରେ ୪ ଜଣିଆ ଟିମ୍ ଏସପିଙ୍କ କାର୍ଯ୍ୟାଳୟର ପହଞ୍ଚି ଏସପିଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଆଜି ମୃତଦେହ ମିଳିଥିବା ସ୍ଥାନରେ ପହଞ୍ଚି ଟିମ୍ ଛାନଭିନ କରିଛି ।
ହତ୍ୟାକାଣ୍ଡର ଗୁମର ଖୋଲିବାକୁ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ । କେଉଁ ପରିସ୍ଥିତିରେ ଚିତ୍ତରଞ୍ଜନଙ୍କ ହତ୍ୟା କରାଯାଇଛି ଏବଂ ପୋଲିସ କାହାକୁ ଅଟକ ରଖି ପଚରାଉଚରା କରୁଛି ସେନେଇ ଟିମ୍ ଏସପିଙ୍କ ସହ ଆଲୋଚନା କରୁଛନ୍ତି । ତେବେ କ୍ରାଇମବ୍ରାଞ୍ଚ ପୋଲିସ ଠାରୁ ସମସ୍ତ ଦସ୍ତାବିଜ ଗ୍ରହଣ କରିବା ପରେ ତଦନ୍ତ ଆରମ୍ଭ ହେବ ବୋଲି ଜଣାପଡିଛି ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ