ପୁରୀ:ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଖେଇ ଆସୁଥିବା ବେଳେ ଦର୍ପଦଳନ ରଥ ବା ଦେବୀ ଶୁଭଦ୍ରାଙ୍କ ରଥ ବ୍ରେକ ଚକର ଅଖରେ ଫାଟ ସୃଷ୍ଟି ହୋଇଛି । ତେବେ ରଥ ନିର୍ମାଣ ବୈଷୟିକ କମିଟି ସ୍ଥିତି ଅନୁଧ୍ୟାନ କରିଛି । ଯାଞ୍ଚ ପରେ ଅଖ ଠିକ ଥିବା ରିପୋର୍ଟ ଦେଇଛି ଟିମ । ସୁରକ୍ଷା ପାଇଁ ଲୁହା କ୍ଲାମ୍ପର ବ୍ୟାବସ୍ଥା କରାଯାଇଥିବା ବେଳେ ଏନେଇ ଆଶଙ୍କା ପ୍ରକାଶ କରିଛନ୍ତି ବରିଷ୍ଠ ସେବାୟତ ।
ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର ଏହି କ୍ଳାମ୍ପର ସ୍ଥାୟିତ୍ବ ନେଇ ଆଶଙ୍କା ପ୍ରକାଶ କରିଛନ୍ତି । ରଥ ଯାତ୍ରାରେ ବଡ ଦାଣ୍ଡ ବିଶାଳ ରଥ ଚାଲିବା ବେଳେ ରଥ ଅନେକ ମୋଡ ନେଇଥାଏ । ସେହିପରି ଅନେକ ଥର ବ୍ରେକ ମଧ୍ୟ ଦିଆଯାଏ। ଯଦି ରଥ ଚାଲିଲା ବେଳେ କୌଣସି ଅଘଟଣ ଘଟେ ସେଥିପାଇଁ କିଏ ଦାୟୀ ରହିବ ବୋଲି ବରିଷ୍ଠ ସେବାୟତ ପ୍ରଶ୍ନ କରିଛନ୍ତି । ଏଣୁ ସୁରକ୍ଷା ଦୃଷ୍ଟିରୁ ରଥ ନିର୍ମାଣ ବୈଷୟିକ କମିଟି, ବରିଷ୍ଠ ଇଞ୍ଜିନିୟର, ରଥ ମହାରଣାମାନେ ତୁରନ୍ତ ସ୍ଥିତି ଅନୁଧ୍ୟାନ କରି ଏହାର ପ୍ରତିକାର କରିବାକୁ ଦାବି ହୋଇଛି। ଦରକାର ପଡିଲେ ନୂଆ ଅଖ ଲଗାଯିବାକୁ ମଧ୍ୟ ଦାବି ହୋଇଛି ।
ସେପଟେ ରଥ ମହାରଣା ବାଳକୃଷ୍ଣ ମହାରଣା କହିଛନ୍ତି, "ଦେବୀ ରଥର ପଡି ନାହାକା ଅଖରେ ଏହି ଫାଟ ଦେଖାଦେଇଛି । ଯାହାକି ସାନ ଉଛୁଳା ଚକର ଅଖ ତଥା ରଥ ବ୍ରେକ ଚକ ଅଖରେ ଏହି ଫାଟ ରହିଛି । ଯାହାକୁ ଲୁହା କ୍ଲାମ୍ପ ଦିଆଯାଇଛି । ଯାହାକି ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ରଥ ଯାତାୟତରେ କୌଣସି ସମସ୍ୟା ହେବ ନାହିଁ । ରଥ ନିର୍ମାଣ ବେଳେ ଅନେକ ସ୍ଥାନରେ ଫାଟ ଥାଏ । ଏହାକୁ ଲୁହା କ୍ଲାମ୍ପ ଦିଆଯାଇ ପ୍ରତିକାର କରାଯାଏ ।"