ଓଡିଶା

odisha

ETV Bharat / state

ପୁଣି ମାତିଲା କୋରୋନା: ବେପାର ଠପ୍, ବ୍ୟବସାୟୀଙ୍କ ହାଲ୍ ବେହାଲ - ପୁରୀରେ ବ୍ୟବସାୟୀଙ୍କୁ କୋରୋନା ପ୍ରହାର

କୋରୋନା ଆଣିଛି ଆର୍ଥିକ ଦୁଃଖ । ସଂକ୍ରମଣ ବୃଦ୍ଧି ଘଟୁଥିବା ନେଇ ପୁଣି ରାଜ୍ୟରେ କଟକଣା କଡ଼ାକଡ଼ି କରାଯାଇଛି । ଯାହାର ସିଧାସଳଖ ପ୍ରଭାବ ପଡ଼ିଛି ପୁରୀ ବ୍ୟବସାୟୀଙ୍କ ଉପରେ।ତେଣୁ ପର୍ଯ୍ୟଟକଙ୍କ ଅଗାମନ ଅହେତୁକ ହ୍ରାସ ପରେ ବ୍ୟବସାୟରେ ବ୍ୟାପକ କ୍ଷତି ଆଶଙ୍କାରେ ପୁରୀର ସମସ୍ତ ବ୍ୟବସାୟୀ । ଅଧିକ ପଢ଼ନ୍ତୁ

covid wave impact on business in puri
ବ୍ୟବସାୟୀଙ୍କୁ କୋରୋନା ପ୍ରହାର

By

Published : Jan 17, 2022, 7:43 PM IST

ପୁରୀ: କୋରୋନା ଆଣିଛି ଆର୍ଥିକ ଦୁଃଖ । ସଂକ୍ରମଣ ବୃଦ୍ଧି ଘଟୁଥିବା ନେଇ ପୁଣି ରାଜ୍ୟରେ କଟକଣା କଡ଼ାକଡ଼ି କରାଯାଇଛି। ଯାହାର ସିଧାସଳଖ ପ୍ରଭାବ ପଡ଼ିଛି ପୁରୀ ବ୍ୟବସାୟୀଙ୍କ ଉପରେ । କୋରୋନାର ତୃତୀୟ ଲହର ନେଇ ସରକାର ଶ୍ରୀମନ୍ଦିରକୁ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି । ତେଣୁ ପର୍ଯ୍ୟଟକଙ୍କ ଅଗାମନ ଅହେତୁକ ହ୍ରାସ ପରେ ବ୍ୟବସାୟରେ ବ୍ୟାପକ କ୍ଷତି ଆଶଙ୍କାରେ ପୁରୀର ସମସ୍ତ ବ୍ୟବସାୟୀ ।

ବ୍ୟବସାୟୀଙ୍କୁ କୋରୋନା ପ୍ରହାର

ରାଜ୍ୟରେ କୋରୋନା କାୟା ବିସ୍ତାର କରି ଚାଲିଛି । ଯାହା ଫଳରେ ଦୈନିକ ସଂକ୍ରମଣ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଗତ ଜାନୁଆରୀ 10ତାରିଖରୁ ଆସନ୍ତା 31 ତାରିଖ ଯାଏ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । ଶ୍ରୀମନ୍ଦିର ବନ୍ଦ ଘୋଷଣା ହେବା ପରେ ପୁରୀକୁ 90 ପ୍ରତିଶତ ପର୍ଯ୍ୟଟକଙ୍କ ଅଗମନ କମିଛି । ଫଳରେ ଉଠା ଦୋକାନୀଙ୍କ ଠାରୁ ଆରମ୍ଭ କରି ହୋଟେଲ ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ପଡ଼ିଛନ୍ତି। ଶ୍ରୀମନ୍ଦିର ପରିସର ତଥା ବଡ଼ ଦାଣ୍ଡ ପାଖରେ ଥିବା ଫୁଲ , ତୁଳସୀ , ଫଳ ଦୋକାନ ସମେତ ଖେଳନା , ଶଙ୍ଖ ମାଳି ବ୍ୟବସାୟ କରୁଥିବା ଶହ ଶହ ବେପାରୀଙ୍କ ବ୍ୟବସାୟ ଏବେ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ବର୍ଷ ତମାମ ପର୍ଯ୍ୟଟକମାନେ ପୁରୀକୁ ଆସୁଥିବା ଯୋଗୁଁ ଉଠା ଦୋକାନୀ ମାନେ ଦୁଇ ପଇସା ରୋଜଗାର କରି ନିଜର ଗୁଜୁରାଣ ମେଣ୍ଟାନ୍ତି । କିନ୍ତୁ ଶ୍ରୀମନ୍ଦିର ବନ୍ଦ ପରେ ଏବେ ପୁଣି ପୂର୍ଵ ବର୍ଷ ଭଳି ଦୁର୍ଦ୍ଦଶା ଭୋଗି ବାକୁ ପଡିବ ବୋଲି ବ୍ୟବସାୟୀ କହିଛନ୍ତି।

ପୁରୀର ଅର୍ଥନୀତି ମୁଖ୍ୟତଃ ପର୍ଯ୍ୟଟନଙ୍କ ଆଗମନ ଉପରେ ନିର୍ଭରଶୀଳ । କୋଭିଡର ପ୍ରଥମ , ଦିତୀୟ ଲହରରେ ପୁରୀ ଅର୍ଥନୀତି ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ଏବେ ତୃତୀୟ ଲହରରେ ପୁଣି ଚିନ୍ତାରେ ପୁରୀର ହୋଟେଲ ବ୍ୟବସାୟୀ। ଶ୍ରୀମନ୍ଦିର ବନ୍ଦ ପରେ ପୁରୀରେ 90 ପ୍ରତିଶତ ହୋଟେଲ ଖାଲି ପଡ଼ିଛି । ତେବେ ଏଭଳି ଅବସ୍ଥା ଲାଗି ରହିଲେ ହୋଟେଲ ଚଳାଇବା ଓ କର୍ମଚାରୀଙ୍କୁ ଦରମା ଦେବା ଅସମ୍ଭବ ହୋଇପଡ଼ିବ । ଏଣୁ ସରକାର ହୋଟେଲ ବ୍ୟବସାୟୀଙ୍କୁ କିଛି ସହାୟତା ପ୍ରଦାନ କଲେ ସେମାନଙ୍କ ସ୍ଥିତି ସୁଧୁରି ପାରିବ। ବିଭିନ୍ନ ସ୍ତରରେ ଆର୍ଥିକ ସାହାଯ୍ୟ ତଥା ଟିକସ ଛାଡ଼ , ଋଣ ସୁଝିବା ଅବଧି ବଢାଇବା , କର୍ମଚାରୀଙ୍କୁ ଆର୍ଥିକ ସହାୟତା ଦେବାକୁ ହୋଟେଲ ବ୍ୟବସାୟୀମାନେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ନହେଲେ ଆଗାମୀ ଦିନରେ ହଜାର ହଜାର ବ୍ୟକ୍ତି ନିଜର ଜୀବିକା ହରାଇବାର ଆଶଙ୍କା ରହିଛି।

2019ର ବାତ୍ୟା ଫନି ପରେ 2020-21 କୋରୋନା ଯୋଗୁଁ ବ୍ୟବସାୟ ଉପରେ ଅନେକ କ୍ଷତି ସହିଥିଲେ ବ୍ୟବସାୟୀ । ପରେ ଶ୍ରୀମନ୍ଦିର ଖୋଲିବା ପରେ ଅଣ୍ଟା ସଳଖୁଥିବା ବ୍ୟବସାୟଙ୍କୁ ପୁଣି ପ୍ରହାର ପକାଇଛି ମହାମାରୀ । ଏଭଳି ପରିସ୍ଥିତିରେ ବ୍ୟବସାୟୀଙ୍କ ପରିବାର ଚଳାଇବା ଅସମ୍ଭବ ହୋଇପଡିଛି ବୋଲି କହିଛନ୍ତି ବ୍ୟବସାୟୀ । ସରକାର ଯଦି ବ୍ୟବସାୟୀଙ୍କୁ ସହାୟତାର ହାତ ନ ବଢ଼ାଇବେ, ତେବେ ସେମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିବାର ଆଶଙ୍କା ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details