ଓଡିଶା

odisha

ETV Bharat / state

ରଥ ନିର୍ମାଣରେ ନିୟୋଜିତ ସେବକଙ୍କ କୋରୋନା ଟେଷ୍ଟ ନେଗେଟିଭ - puri news

ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । ଲକଡାଉନର ସବୁ ନିୟମ ମାନି ତିନି ରଥର ନିର୍ମାଣ କାର୍ଯ୍ୟରେ ଲାଗିପଡିଛନ୍ତି ସେବକମାନେ । ଏହି କ୍ରମରେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବକଙ୍କ ପ୍ରଥମ ପର୍ଯ୍ୟାୟରେ ସଂଗ୍ରହ ସ୍ୱାବ ଟେଷ୍ଟ ସବୁ ନେଗେଟିଭ ଆସିଛି । ଅଧିକ ପଢନ୍ତୁ...

Corona test negative for chariot construction workers
ରଥ ନିର୍ମାଣରେ ନିୟୋଜିତ ସେବକଙ୍କ କୋରୋନା ଟେଷ୍ଟ ନେଗେଟିଭ

By

Published : May 21, 2020, 4:24 PM IST

Updated : May 21, 2020, 4:55 PM IST

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । ଲକଡାଉନର ସବୁ ନିୟମ ମାନି ତିନି ରଥର ନିର୍ମାଣ କାର୍ଯ୍ୟରେ ଲାଗିପଡିଛନ୍ତି ସେବକମାନେ । ଏହିକ୍ରମରେ କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ସମସ୍ତ ସେବକମାନେ ନିଜର କୋଭିଡ ଟେଷ୍ଟ କରିବା ସହ କ୍ଵାରେନଣ୍ଟାଇନରେ ରହିଛନ୍ତି । ଆଗାମୀ ଦିନରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଓ ରଥଯାତ୍ରା ଥିବାରୁ ସେବାୟତଙ୍କ ସୁରକ୍ଷା ପାଇଁ କୋରୋନା ଟେଷ୍ଟ କରାଯାଉଛି ।

ତେବେ ପ୍ରଥମ ପର୍ଯ୍ୟାୟରେ ସଂଗ୍ରହ ସ୍ୱାବ ଟେଷ୍ଟ ସବୁ ନେଗେଟିଭ ଆସିଛି । ଏନେଇ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ମଧ୍ୟ ଏଭଳି ରିପୋର୍ଟ ଆସିବ ବୋଲି ସେ ଆଶା ରଖିଛନ୍ତି । ରଥ ନିର୍ମାଣ କାର୍ଯ୍ୟରେ ବିଶ୍ୱକର୍ମା, ଭୋଇ, ରୂପକାର, ଚିତ୍ରକର ଓ କରତି ସେବକ ଲାଗିଛନ୍ତି । ଗତ କିଛି ଦିନ ତଳେ ତିନୋଟି ପର୍ଯ୍ୟାୟରେ ତିନି ଦିନ ଧରି ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା ।

ରଥ ନିର୍ମାଣରେ ନିୟୋଜିତ ସେବକଙ୍କ କୋରୋନା ଟେଷ୍ଟ ନେଗେଟିଭ

ଅନ୍ୟପଟେ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ, ପୂର୍ବରୁ ଯେଉଁଭଳି ଭାବେ ଦଇତାପତି ନିଯୋଗଙ୍କ ସହିତ ଏନେଇ ଆଲୋଚନା ହୋଇଥିଲା ଅଗାମୀ ଦିନରେ ମଧ୍ୟ ସ୍ନାନ ଯାତ୍ରା ଓ ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସେବକମାନଙ୍କ କୋରୋନା ଟେଷ୍ଟ ନେଇ ଆଲୋଚନା ହେବ । ଏହା ସହ କିଭଳି କ୍ଵାରେନଣ୍ଟାଇନରେ ରହିବେ ସେ ନେଇ ମଧ୍ୟ ପର୍ଯ୍ୟାୟକ୍ରମେ ଆଲୋଚନା ହେବ ।

ଆସନ୍ତା 23 ତାରିଖରେ ଗରାବଡୁ ନିଯୋଗ ସହିତ ଏନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ସ୍ନାନ ଯାତ୍ରା ବେଳକୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଶେଷ ହୋଇଥିବ । ତେବେ ଉକ୍ତ ସମୟର ଗାଇଡ଼ଲାଇନ ଦେଖି ସ୍ନାନ ଯାତ୍ରା କିଭଳି ହେବ ଏବଂ ଭକ୍ତ ଏକାଠି ହୋଇ ଦର୍ଶନ କରିବେ କି ନାହିଁ, ବିଭିନ୍ନ ଗଣମାଧ୍ୟମରେ ଏହାର ସିଧା ପ୍ରସାରଣ ନେଇ ସ୍ନାନ ଯାତ୍ରା ପୂର୍ବରୁ ନିଷ୍ପତ୍ତି ହେବ । ଏପରିକି ସ୍ନାନ ଯାତ୍ରାର ସିଧାପ୍ରସାରଣକୁ ଏକ ଏଜେନ୍ସିକୁ ଦେଇ ସମସ୍ତ ଗଣମାଧ୍ୟମକୁ ଫିଡ଼ ଦିଆଯିବ କି ନାହିଁ ସେ ନେଇ ମଧ୍ୟ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ପରେ ଏବଂ ଉକ୍ତ ସମୟର ଗାଇଡ଼ଲାଇନ ଅନୁଯାୟୀ ନିଷ୍ପତ୍ତି ହେବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 21, 2020, 4:55 PM IST

ABOUT THE AUTHOR

...view details