ପୁରୀ: ଶ୍ରୀକ୍ଷେତ୍ରରେ କଂଗ୍ରେସ କରିଛି ତୁଳସୀ ଯାତ୍ରା । ଶ୍ରୀମନ୍ଦିର ଚାରି ଦ୍ବାର ଭକ୍ତଙ୍କ ପାଇଁ ଖୋଲିବା ସହ ରତ୍ନ ଭଣ୍ଡାର ଖୋଲି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି, ବେଦାନ୍ତ ନେଇଥିବା ଚାଷଜମି ଚାଷୀଙ୍କୁ ଫେରସ୍ତ, ପୁରୀ ସହରବାସୀଙ୍କ ଜମିଜମା ସମସ୍ୟା ସମାଧାନ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦାବି ନେଇ ପୁରୀରେ କଂଗ୍ରେସ ତୁଳସୀ ଯାତ୍ରା କରିଛି । ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ପିସିସି ରାଜ୍ୟ ପ୍ରଭାରୀ ଡଃ ଚେଲ୍ଲା କୁମାର ଓ ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ ।
ସାରା ରାଜ୍ୟରୁ କଂଗ୍ରେସ କର୍ମୀ ଓ ନେତା ଏହି ତୁଳସୀ ଯାତ୍ରାରେ ସାମିଲ ହୋଇଛନ୍ତି । ଓଡ଼ିଶାର ୩୧୪ ବ୍ଳକ୍ ଓ ୧୨୦ ପୌରାଞ୍ଚଳରୁ ତୁଳସୀ ସଂଗ୍ରହ କରାଯାଇଛି । ଏହାକୁ ଭୁବନେଶ୍ଵର ଅଣାଯାଇ ଆଜି ଏକ ବିରାଟ ଶୋଭାଯାତ୍ରା ପୁରୀ ଅଭିମୁଖେ ଅଣାଯାଇଥିଲା । ପୁରୀ ଶରଧାବାଲିରେ କଂଗ୍ରେସ କର୍ମୀ, ନେତା ଏକାଠି ହୋଇ ଏକ ସଂକୀର୍ତ୍ତନ ମଣ୍ଡଳୀ ସହ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ । ଏଥିରେ ବହୁ କଂଗ୍ରେସ ନେତା କର୍ମୀ ସାମିଲ ହୋଇଛନ୍ତି । ଏହି ଅବସରରେ ବହୁ ଦିନରୁ ଲାଗି ରହିଥିବା ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବି ଦୋହରାଇଛି କଂଗ୍ରେସ । ସେହିଭଳି ରତ୍ନ ଭଣ୍ଡାର ଖୋଲି ରାଜ୍ୟବାସୀଙ୍କୁ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ହିସାବ ଦେବାକୁ ଦାବି କରିଛି କଂଗ୍ରେସ । ପୁରୀରେ ଚାଷୀଙ୍କ ଜମି ନେଇଥିବା ବେଦାନ୍ତ ତୁରନ୍ତ ଚାଷୀଙ୍କୁ ଜମି ଫେରସ୍ତ ନକଲେ ରାଜ୍ୟ ସରକାରଙ୍କ ବିରୋଧରେ ରାଜରାସ୍ତାରେ କଂଗ୍ରେସ ଲଢେଇ କରିବ ବୋଲି ତୁଳସୀ ଯାତ୍ରା ଅବସରରେ ଚେତାବନୀ ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।