ପୁରୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ପୁଣି ନିଜର ଲୋକସଭା ସଦସ୍ୟତା ଫେରି ପାଇଛନ୍ତି । ମୋଦି ସାଙ୍ଗିଆ ନେଇ ବିବାଦୀୟ ଟିପ୍ପଣୀ ଦେଇ ବିବାଦରେ ଫସିଥିବା ରାହୁଲ ଗାନ୍ଧିଙ୍କ ଜେଲ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ଅନ୍ତରୀଣ ରହିତାଦେଶ ଲାଗୁ କରିବା ପରେ ପୁଣି ରାହୁଲ ଗାନ୍ଧି ଲୋକସଭା ସଭ୍ୟ ପଦ ଫେରି ପାଇଛନ୍ତି । ତେବେ ଏହାକୁ ନେଇ ସାରା ଦେଶରେ କଂଗ୍ରେସ କର୍ମୀ ଓ ନେତା ଉତ୍ସାହିତ ଥିବାବେଳେ ବାଜା ବଜାଇ ମିଠା ବାଣ୍ଟି ଖୁସି ମନାଇଛନ୍ତି । ଦିଲ୍ଲୀରୁ ପଲ୍ଲୀ ସବୁଠାରେ ବିଜୟ ଉତ୍ସବ ମନାଇଛି କଂଗ୍ରେସ । ଏହି କ୍ରମରେ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ଜିଲ୍ଲା କଂଗ୍ରେସ ଭବନରେ କଂଗ୍ରେସ କର୍ମୀମାନେ ଏକାଠି ହୋଇ ମିଠା ବାଣ୍ଟି ନିଜ ଭିତରେ ଖୁସି ମନାଇଛନ୍ତି ।
ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଜୟ ନାରାୟଣ ପଟ୍ଟନାୟକ କହିଛନ୍ତି, "ଏହା ଗଣତନ୍ତ୍ରର ବିଜୟ । ରାହୁଲ ଗାନ୍ଧି ଯେଭଳି ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାରଙ୍କୁ ସଂସଦରେ କଡ଼ା ସମାଲୋଚନା କରିଥଲେ ଓ ପ୍ରଶ୍ନ ପଚାରିଥିଲେ ସେଥିରେ ମୋଦି ସରକାର ଭୟଭୀତ ହୋଇ ଏହି ଷଡ଼ଯନ୍ତ୍ର ରଚିଥିଲେ । ବିରୋଧୀଙ୍କ ସ୍ଵର ଚାପି ଦେବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଲୋକସଭାରୁ ହଟାଇବାକୁ ଷଡ଼ଯନ୍ତ୍ର କରିଥଲେ । ହେଲେ ଭାରତର ନ୍ୟାୟପାଳିକା ଏହାକୁ ହୃଦୟଙ୍ଗମ କରିଛନ୍ତି । କୋର୍ଟ ପ୍ରକୃତ ତଥ୍ୟକୁ ବୁଝି ଏହି ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି । ତେବେ ଏହି ଘଟଣା କଂଗ୍ରେସ କର୍ମୀ ଓ ନେତାଙ୍କୁ ଆହୁରି ଉତ୍ସାହିତ କରିଛି । ଆଗାମୀ ଦିନରେ ଗଣତନ୍ତ୍ର ବିରୋଧୀ ମୋଦି ସରକାରକୁ ହଟାଇବା ପାଇଁ କଂଗ୍ରେସ କର୍ମୀ ଓ ନେତା ଏକାଠି ହୋଇ ବ୍ୟାପକ କାର୍ଯ୍ୟକ୍ରମ କରିବେ । ଦେଶବାସୀ ମୋଦି ସରକାରଙ୍କ କାର୍ଯ୍ୟକଳାପକୁ ନେଇ ଅତିଷ୍ଠ ହୋଇ ପଡିଛନ୍ତି ।" ଆଗାମୀ ୨୦୨୪ରେ ଦେଶରେ କଂଗ୍ରେସ ବିପୁଳ ଭାବେ ଜିତି ସରକାର ଗଢ଼ିବ ବୋଲି ପୁରୀ ଜିଲା କଂଗ୍ରେସ ସଭାପତି ଜୟ ନାରାୟଣ ପଟ୍ଟନାୟକ କହିଛନ୍ତି ।