ପୁରୀ:ମୋ ବସ୍ ଓ କାର ମୁହାଁମୁହିଁଧକ୍କା । ପୁରୀ କୋଣାର୍କ ବାଲିଘାଇ ନିକଟରେ ସୋମବାର ସକାଳୁ ସକାଳୁ ଏକ ସଡକ ଦୁର୍ଘଟଣା ହୋଇଛି । କାର ସହ ମୋ ବସ୍ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ 15ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ପୁରୀ ବାଲିଘାଇ ଛକ ନିକଟରେ ମୋ ବସ୍ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କାର ଡ୍ରାଇଭର ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୫ ଜଣ ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ସମସ୍ତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଚିକିତ୍ସାଧିନ ଅବସ୍ଥାରେ କାର ଚାଳକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ କାର ଚାଳକ ହେଉଛନ୍ତି ସାତଶଙ୍ଖ ଗୁଡିଆ ପୋଖରୀ ଅଞ୍ଚଳର ସତ୍ୟ ଦାସ ।
ଖବରପାଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ, ଅଗ୍ନିଶମ ବାହିନୀ ଓ ବାଲିଘାଇ ଫାଣ୍ଡି ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ସମସ୍ତଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ସେହିପରି ମୋ ବସଟି କାରକୁ ଧକ୍କା ଦେଇ ଗଛରେ ପିଟି ହୋଇଯାଇଥିବାରୁ ବସ ଡ୍ରାଇଭରଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଅଗ୍ନିଶମ ବାହିନୀର କର୍ମଚାରୀମାନେ କଟର ମେସିନ୍ ସାହାଯ୍ୟରେ ବସକୁ କାଟି ଡ୍ରାଇଭରଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ ।
ପୁରୀରୁ କୋଣାର୍କ ଆଡ଼କୁ ମୋ ବସ ଯାଉଥିଲା । ବିପରୀତ ଦିଗରୁ ଏକ କାର୍ ଖୁବ ଜୋରରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ମୋ ବସରେ ଧକ୍କା ହୋଇଥିଲା। ଫଳରେ କାରରେ ଥିବା ୫ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେହିପରି ମୋ ବସରେ ଥିବା ପାଖାପାଖି ୧୦ ଜଣ ଯାତ୍ରୀ ଆହତ ହୋଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।