ଭୁବନେଶ୍ବର: କୌଣସି ଅନୁଷ୍ଠାନ କିମ୍ବା ବିଭାଗର କିଛି ସୂଚନା ଜାଣିବାକୁ ଚାହୁଁଥିଲେ ସାଧାରଣ ଲୋକଙ୍କ ପାଇଁ ରହିଛି ସୂଚନା ଅଧିକାର ଆଇନ । ଏହା ମାଧ୍ୟମରେ ନିର୍ଦ୍ଦିଷ୍ଠ ଫର୍ମ ଜରିଆରେ ଅଧିକାରୀଙ୍କୁ ତଥ୍ୟ ପାଇଁ ଆବେଦନ କରିବାର ନିୟମ ରହିଛି ।
ସୂଚନା ମାଗିଲେ 30 ଲକ୍ଷ ଦାବି, କଲେଜରେ ପ୍ରହସନ ପାଲଟିଛି RTI - ସୂଚନା ଅଧିକାର ଆଇନ୍ ପ୍ରହସନ
ସୂଚନା ପାଇବ ତ ଆଗ ଜମା କର ୩0 ଲକ୍ଷ ଟଙ୍କା । ଅଧିକ ଅର୍ଥ ଆବଶ୍ୟକ ହେଲେ ପରେ ଦେବ । ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ଚାହୁଁଥିବା ଜଣେ ପୁରାତନ ଛାତ୍ରଙ୍କୁ କାକଟପୁର ମଙ୍ଗଳା ମହାବିଦ୍ୟାଳୟର ସୂଚନା ଅଧିକାରୀ (ପିଆଇଓ) ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ ଘଟିଛି କିଛି ବିରଳ ଘଟଣା । ସୂଚନା ପାଇବ ତ ଆଗ ଜମା କର ୩0 ଲକ୍ଷ ଟଙ୍କା । ଅଧିକ ଅର୍ଥ ଆବଶ୍ୟକ ହେଲେ ପରେ ଦେବ । ରାଜ୍ୟରେ ସୂଚନା ଅଧିକାର ଆଇନ କିଭଳି ଚାଲିଛି ଏହା ତାର ଏକ ନିଚ୍ଛକ ଉଦାହରଣ । ନିଜ କଲେଜ ସମ୍ପର୍କରେ ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ଚାହୁଁଥିବା ଜଣେ ପୁରାତନ ଛାତ୍ରଙ୍କୁ କାକଟପୁର ମଙ୍ଗଳା ମହାବିଦ୍ୟାଳୟର ସୂଚନା ଅଧିକାରୀ (ପିଆଇଓ) ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।
କଲେଜରେ ନିଯୁକ୍ତି, ପ୍ରମୋସନ କ୍ଷେତ୍ରରେ ଅନିୟମିତତା ହୋଇଥିବା ଦର୍ଶାଇ ଜଣେ ପୁରାତନ ଛାତ୍ର ସୂଚନା ଅଧିକାର ଆଇନ ବଳରେ କିଛି ତଥ୍ୟ ମାଗିଥିଲେ। ଆବେଦନକାରୀ ଅଭୟ ସେଠୀ ହେଉଛନ୍ତି ଅନୁସୂଚିତ ଜାତି ବର୍ଗର। ଏହି ବର୍ଗ ପାଇଁ କୌଣସି ଦେୟ ନନେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ବି ରହିଛି । ହେଲେ କଲେଜ ଅଧ୍ୟକ୍ଷ ଯେମିତି ଏହାକୁ ମାଡି ମକଚି ଫୋପାଡ଼ି ଦେଇଛନ୍ତି । 12 ଅକ୍ଟୋବରେ ସୂଚନା ଅଧିକାର ଦିବସ ପାଳନ ହୋଇଛି। ମାତ୍ର ଏହାର ବାସ୍ତବତା ଯେ ଭିନ୍ନ ଏହି ଘଟଣାରେ ସ୍ପଷ୍ଟ ଅନୁମେୟ ।
ଆବେଦନକାରୀ ଅଭୟ ସେଠୀଙ୍କ ଘର କାକଟପୁରର ଦେଉଳି ଗାଁରେ। ସେ କାକଟପୁର ମଙ୍ଗଳା ମହାବିଦ୍ୟାଳୟର ଜଣେ ପ୍ରାକ୍ତନ ଛାତ୍ର । କେଉଁ ଆଧାରରେ ତାଙ୍କୁ ଏତେ ଟଙ୍କା ଜମା ଦେବାକୁ କୁହାଯାଇଛି ବୋଲି ସେ ପ୍ରଶ୍ନ କରିବା ପରେ ତଥ୍ୟ ପାଇଁ ସେ କରିଥିବା ଆବେଦନକୁ କର୍ତ୍ତୃପକ୍ଷ ନାକଚ କରିଛନ୍ତି । ଆବେଦନକାରୀ ମାଗିଥିବା ତଥ୍ୟ ତାଙ୍କ ଜୀବନ ଜୀବିକା ସହ ଜଡ଼ିତ ନ ଥିବାରୁ ସୂଚନା ଅଧିକାର ଆବେଦନ ନାକଚ ହେଲା ବୋଲି କୁହାଯାଇଛି । ତେବେ ପିଆଇଓଙ୍କ ଏଭଳି ନିଷ୍ପତ୍ତି ବିରୁଦ୍ଧରେ ପ୍ରଥମ ଆପେଲେଟ୍ ଅଥରିଟିଙ୍କ ନିକଟରେ ଆବେଦନ କରି ନ୍ୟାୟ ଆଶାରେ ରହିଛନ୍ତି ଅଭୟ ।
ବାବୁରାମ ମଲ୍ଲିକ ନାମକ ଅନ୍ୟ ଜଣେ ଆବେଦନକାରୀ ଗତମାସ ୧୮ ତାରିଖରେ ଉକ୍ତ କଲେଜ କର୍ତ୍ତୃପକ୍ଷଙ୍କଠାରୁ କେତେକ ତଥ୍ୟ ପାଇବା ପାଇଁ ସୂଚନା ଅଧିକାର ଆଇନ୍ ବଳରେ ଅନ୍ୟ ଏକ ଆବେଦନ କରିଥିଲେ । ଗତ ୨୪ ତାରିଖରେ ମଙ୍ଗଳା ମହାବିଦ୍ୟାଳୟର ସୂଚନା ଅଧିକାରୀ ତାଙ୍କୁ ବି ଏକ ଚିଠି ଲେଖି ମାଗିଥିବା ତଥ୍ୟର ଜେରକ୍ସ ଖର୍ଚ୍ଚ ବାବଦରେ ୩୦ ଲକ୍ଷ ଟଙ୍କା ଜମା ଦେବାକୁ କହିଛନ୍ତି ।
ସେପଟେ କଲେଜ କର୍ତ୍ତୃପକ୍ଷଙ୍କ ଏଭଳି ମନମାନି ନେଇ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି ଏହା ଆଇନ ବାହାରେ। ତଥ୍ୟ ନଦେବାକୁ ଏଭଳି ଅକଳରେ ପକାଯାଉଛି। ଉପଯୁକ୍ତ ଫୋରମରେ ଏହି କଥା ଉଠାଯିବ ବୋଲି ସେ କହିଛନ୍ତି । ଯଦି ଏଭଳି ହୁଏ ତେବେ ସୂଚନା ଅଧିକାର ଆଇନ ଏକ ପ୍ରହେଳିକା ଓ ଲୋକଙ୍କ ବିଶ୍ୱାସ ହରାଇବାର ସମ୍ଭାବନା ରହିଛି ।
ଭୁବନେଶ୍ୱରରୁ ବିକାଶ ଦାସ ଓ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ