ଭୁବନେଶ୍ବର:ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋର ହୋଇଛି ନବକଳେବର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁଆଣ୍ଡୋରେ ପଣ୍ଡିତ ଗୋପବନ୍ଧୁଙ୍କ ରୂପାନ୍ତରିତ ଜନ୍ମପୀଠକୁ ଲୋକାର୍ପିତ କରିଛନ୍ତି । ଗୋପବନ୍ଧୁଙ୍କ ଏକ ୧୫ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ବିକଶିତ ଶିବ ମନ୍ଦିର, ପୋଖରୀ, ମ୍ୟୁଜିୟମ ଓ ପୈତୃକ ବାସଗୃହର ଉଦଘାଟନ କରିଛନ୍ତି । ଜନ୍ମପୀଠକୁ ରାସ୍ତା, ପରିକ୍ରମା ରାସ୍ତା ଓ ଏକ ସୂଚନା କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଇଛି ।
ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଗୋପବନ୍ଧୁ ଥିଲେ ଜଣେ ଯୁଗପୁରୁଷ । ଓଡ଼ିଆ ଜାତି ତାଙ୍କ ନିକଟରେ ସବୁବେଳେ ଋଣୀ । ତାଙ୍କ ସ୍ମୃତି ରକ୍ଷା ପାଇଁ ଯେତେ ଯାହା କଲେ ବି, କମ ହେବ । 5T ଉପକ୍ରମରେ ଓଡ଼ିଶାର ବରପୁତ୍ରମାନଙ୍କ ଜନ୍ମପୀଠର ବିକାଶ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଉତ୍କଳ ଗୌରବ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ସହିଦ ଲକ୍ଷ୍ମଣ ନାୟକ ଏବଂ ଆହୁରି ଅନେକ ମହାପୁରୁଷଙ୍କ ତ୍ୟାଗ ଓ ସାଧନା ଓଡ଼ିଶାର ଗୌରବ ବଢାଇଛି ।
ଗୋପବନ୍ଧୁଙ୍କ ସ୍ମୃତିକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଉତ୍କଳମଣି ଥିଲେ ମାନବ ସମାଜର ମଣି । ତାଙ୍କ ତ୍ୟାଗ, ଦେଶଭକ୍ତି, ସେବା ଓ ଜାତିପ୍ରୀତିର ତୁଳନା ନାହିଁ । ସ୍ବାଧୀନତା ସଂଗ୍ରାମରୁ ଆରମ୍ଭ କରି ଓଡ଼ିଶାର ଶିକ୍ଷା, ସାହିତ୍ୟ ସଂସ୍କୃତି, ରାଜନୀତି, ସେବା ଓ ମାନବିକତାର ନୂଆ କୀର୍ତ୍ତି ସେ ସ୍ଥାପନ କରିଯାଇଛନ୍ତି । ଓଡ଼ିଶାରେ ଜାତୀୟବାଦୀ ଚେତନାର ବିକାଶରେ ସେ ଥିଲେ କର୍ଣ୍ଣଧାର । ଭୋଗ ନୁହେଁ, ତ୍ୟାଗ ହିଁ ମହାନ । ସେବା ହିଁ ଶ୍ରେଷ୍ଠ । ଏହା ହିଁ ହେଉଛି ଗୋପବନ୍ଧୁଙ୍କ ଜୀବନର ବାର୍ତ୍ତା । ସେ ସବୁବେଳେ ଆମ ପାଇଁ ପ୍ରେରଣା ହୋଇ ରହିଛନ୍ତି ଏବଂ ରହିଥିବେ । ଗୋପବନ୍ଧୁଙ୍କ ‘ଭାର୍ଗବୀ ସଂକଳ୍ପ’କୁ ଜୀବନର ବ୍ରତ କରି ଏକ ନୂଆ ଓ ସଶକ୍ତ ଓଡ଼ିଶା ଗଠନ ପାଇଁ ସମସ୍ତେ କାମ କରନ୍ତୁ ।"