ପୁରୀ: ଆଜିଠାରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ । ଏହି ଅବସରରେ ପୁରୀରେ ଥିବା 3 ଟି ହବିଷ୍ୟାଳି ଶିବିରକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ । ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ଚଳିତବର୍ଷ ପୁରୀରେ 3 ଟି ହବିଷ୍ୟାଳି ଶିବିର କରାଯାଇଛି । ରେଲୱେ ଷ୍ଟେସନ ଯାତ୍ରୀ ନିବାସ , ମୋଚି ସାହି କଲ୍ୟାଣ ମଣ୍ଡପ ଓ ନରେନ୍ଦ୍ର କୋଣରେ ନୂତନ ନିର୍ମିତ ହେଉଥିବା ହବିଷ୍ୟାଳି ବିଲ୍ଡିଂରେ ଏହି ଶିବିର ଖୋଲାଯାଇଛି ।
ଏଠାରେ ହବିଷ୍ୟାଳିଙ୍କ ରହିବା, ଖାଇବା ସହ ବ୍ରତ ପାଳନ ଓ ଜଗନ୍ନାଥ ଦର୍ଶନ ନେଇ ସମସ୍ତ ବ୍ୟବସ୍ଥା ହୋଇଛି । ହବିଷ୍ୟାଳିମାନେ ମନ୍ଦିର ଯିବା ନେଇ ମଧ୍ୟ ସ୍ବତନ୍ତ୍ର ବସର ବନ୍ଦୋବସ୍ତ କରାଯାଇଛି । ବସରେ ସ୍ବେଚ୍ଛାସେବୀ ମାନେ ରହି ହବିଷ୍ୟାଳିଙ୍କୁ ନେବା ଆଣିବାରେ ସାହାଯ୍ୟ କରିବେ । ଏହାସହ ପ୍ରତ୍ୟେକ ହବିଷ୍ୟାଳି ଶିବିରରେ ସୂଚନା କେନ୍ଦ୍ର , ସ୍ବାସ୍ଥ୍ୟସେବା କେନ୍ଦ୍ର , ଅଗ୍ନିଶମ ବାହିନୀ , ପୋଲିସ ସମେତ ଘରୋଇ ସୁରକ୍ଷାକର୍ମୀ ମୁତୟନ କରାଯାଇଛି ।