ପୁରୀ: ଶ୍ରୀକ୍ଷେତ୍ର ଇତିହାସରେ ଆଜି ଯୋଡିହେବ ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ । ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ । ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ପ୍ରତୀକ୍ଷିତ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ । ଏହାରି ସହିତ ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ମହାଯଜ୍ଞର ପୂର୍ଣ୍ଣାହୁତି ଦେବେ ଗଜପତି । ଏଥିପାଇଁ ଉତ୍ସବ ମୁଖରିତ ହୋଇଉଠିଛି ସମଗ୍ର ଶ୍ରୀକ୍ଷେତ୍ର । ଲୋକାର୍ପଣ ଉତ୍ସବର ସାକ୍ଷୀ ହେବାରୁ ବହୁସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି ପୁରୀକୁ । ମନ୍ତ୍ର ଧ୍ବନି ଓ ବେଦପାଠ ସହ ସବୁକିଛି ଜଗନ୍ନାଥମୟ ରହିଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଗତ 15 ତାରିଖରୁ ଆରମ୍ଭ ହୋଇଥିବା ମହାଯଜ୍ଞ ଆଜି ପୂର୍ଣ୍ଣାହୁତି ହେବ । ଆଚାର୍ଯ୍ୟ ବ୍ରାହ୍ମଣମାନେ ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରୁଛନ୍ତି । ଲୋକାର୍ପଣ ଉତ୍ସବ କିଭଳି ସଫଳ ହୋଇପାରିବ ସେନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ସବୁକିଛି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚାଲିଥିବା ବେଳେ ନିମନ୍ତ୍ରିତ ଅତିଥିମାନେ ଆସି ପୁରୀରେ ପହଞ୍ଚି ସାରିଛନ୍ତି । ସେହିପରି ସମଙ୍ଗ ପାର୍କିଂ, ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍ ସେଣ୍ଟର ଏବଂ ଶ୍ରୀମାର୍ଗ ରାସ୍ତା ମଧ୍ୟ ଭକ୍ତଙ୍କୁ ସ୍ବାଗତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।
ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ: ଆଜି ପୌଷ ଶୁକ୍ଳ ସପ୍ତମୀରେ ସକାଳୁ ପ୍ରଥମେ ସୂର୍ଯ୍ୟପୂଜା ପରେ ମହାଯଜ୍ଞ, ବେଦ ପାରାୟଣ, ନାମ ସଂକୀର୍ତ୍ତନ ଅନୁଷ୍ଠିତ ହେବ । ଅପରାହ୍ଣ 1ଟା 20ରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପିତ କରିବେ । ପରେ ଯଜ୍ଞ ପୂର୍ଣ୍ଣାହୁତିରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞର ପୂର୍ଣ୍ଣାହୁତି ହେବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ସୁରକ୍ଷା ଦାୟିତ୍ବରେ 80 ପ୍ଲାଟୁନ ଫୋର୍ସ:ସମଗ୍ର ଉତ୍ସବ ସ୍ଥଳୀ ସହିତ ପୁରୀ ସହରରେ ୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ସୁରକ୍ଷା ଦାୟିତ୍ବରେ । ଏଥିସହ ୧୦୦ ଜଣ ବରିଷ୍ଠ ପୋଲିସ ଅଧିକାରୀ, ୨୫୦ ଜଣ ସବ୍ ଇନ୍ସପେକ୍ଟର, ଚାରୋଟି ବୋମା ନିଷ୍କ୍ରିୟକାରୀ ଟିମ୍, ତିନୋଟି ଅତ୍ୟାଧୁନିକ K9 ସିକ୍ୟୁରିଟି ଟିମ୍, ସାଧା ପୋଷାକଧାରୀ ପୋଲିସ୍ ସହ ଚାରି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ।