ପୁରୀ:ଅନୁକୂଳ ପରିବେଶ ସନ୍ଧାନରେଗିରି କାନନ ଡେଇଁ ଚିଲିକାକୁ ଉଡ଼ି ଆସନ୍ତି ବିଦେଶୀ ପକ୍ଷୀ । ଏଠାରେ ସେମାନଙ୍କ ସମୟ ବିତାଇବା ପରେ ପୁଣି ଫେରି ଯାଆନ୍ତି । ହେଲେ ଏହି ସମୟକୁ ଶିକାରୀ ତାର ମାଘ ମାସ ମଣି ନିଏ । ବିଦେଶୀ ପକ୍ଷୀଙ୍କ ମାରି ଆହାର କରି ଆସୁଛି । ଏହାକୁ ନେଇ ବାରମ୍ବାର ସଚେତନତା ପରେ ବି ଚେତୁ ନାହାନ୍ତି ସ୍ଥାନୀୟ ଲୋକେ । ପକ୍ଷୀ ଶିକାର ବେଳେ ଚଢ଼ାଉ କରି ୧୪ଟି ମୃତ ବିଦେଶୀ ପକ୍ଷୀ ଜବତ କରିଛି ବନ ବିଭାଗ । ଏହାପରେ ସମ୍ପୃକ୍ତ ନାବାଳକକୁ କୋର୍ଟ ଚାଲାଣ କରାଯାଇଛି ।
ବନ ବିଭାଗ ପକ୍ଷରୁ ଚଢ଼ାଉ ବେଳେ ୧୨ କମନ୍ଟିଲ୍, ଗୋଟିଏ ନର୍ଦ୍ଦନ ପିଣ୍ଟେଲ ଓ ଗୋଟିଏ ଜାକେନା ମୃତ ପକ୍ଷୀ ଜବତ କରାଯାଇଛି । କଇଁ ନାଡ଼ରେ ବିଷ ଦେଇ ପକ୍ଷୀ ଶିକାର କରାଯାଉଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ଲୋକଙ୍କୁ ପୁଣି ସଚେତନ କରିଛି ବନ ବିଭାଗ ।
ଚିଲିକାରେ ପକ୍ଷୀ ଶିକାରୀ ସକ୍ରିୟ ହୋଇ ଉଠିଛନ୍ତି । ଏହାକୁ ରୋକିବାକୁ ନେଇ ପୁରୀ ବ୍ରହ୍ମଗିରି ବନ ବିଭାଗ ତତ୍ପର ହୋଇ ଉଠିଛି । ପକ୍ଷୀ ଶିକାର ଘଟଣାରେ ଜଣେ ନାବାଳକଙ୍କୁ ଧରି କୋର୍ଟରେ ହାଜର ମଧ୍ୟ କରାଯାଇଛି । ବନ ବିଭାଗର ସୂଚନା ଅନୁଯାୟୀ, ବ୍ରହ୍ମଗିରି ବନ୍ୟାଞ୍ଚଳର ଘଟକୁଡ଼ି ଅଞ୍ଚଳରେ କିଛି ପକ୍ଷୀ ଶିକାରୀ କଇଁ ନାଡ଼ରେ ବିଷ ଦେଇ ପକ୍ଷୀ ଶିକାର କରୁଥିବା ଖବର ମିଳିଥିଲା । ଖବର ପାଇ ବ୍ରହ୍ମଗିରି ବନ୍ୟାଞ୍ଚଳ ଅଧିକାରୀ ଚନ୍ଦ୍ରଶେଖର ସାହୁଙ୍କ ସମେତ ଏକ ୧୨ ଜଣିଆ ଟିମ୍ ଅଚାନକ ଚଢ଼ାଉ କରିଥିଲା । ଚଢ଼ଉ ବେଳେ ଘଟଣାସ୍ଥଳରେ ଏକ ସ୍କୁଟିକୁ ଛାଡ଼ି ଶିକାରୀମାନେ ଫେରାର ହୋଇଯାଇଥିଲେ । ୨ ଜଣ ଖସି ଯାଇଥିବା ବେଳେ ଜଣେ ବନବିଭାଗ ହାବୁଡ଼ରେ ପଡ଼ିଥିଲା । ଅଭିଯୁକ୍ତଠାରୁ ୧୨ କମନ୍ଟିଲ୍, ଗୋଟିଏ ନର୍ଦ୍ଦନ ପିଣ୍ଟେଲ ଓ ଜାକେନା ମୃତପକ୍ଷୀ ଜବତ କରାଯାଇଛି । ଏଥି ସହିତ ଏକ ବ୍ୟାଗରୁ କଇଁ ନାଡ଼ ଓ ବୋତଲରେ ରଖା ଯାଇଥିବା ବିଷ ମିଶା ନାଡ଼ ଓ ଏକ ମୋବାଇଲ ଫୋନ୍ ଜବତ କରାଯାଇଛି ।