ପୁରୀ: କୋଣାର୍କ ମେରାଇନ ଡ୍ରାଇଭ ରୋଡ ବାଲିଗୁଆଳି ଠାରେ ସ୍ଥାପିତ ହୋଇଥିବା ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ଆସନ୍ତା ୧୧ ତାରିଖରୁ ପ୍ରଥମ ବ୍ୟାଚର MBBS ପାଠ୍ୟକ୍ରମ ଆରମ୍ଭ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଡିକାଲ କଲେଜର ଶୁଭ ଉଦଘାଟନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଆଜି(ଶୁକ୍ରବାର) ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ।
ଆସନ୍ତା ୧୧ ତାରିଖ (ସୋମବାର) ଅପରାହ୍ନ ସମୟରେ କଲେଜ ପରିସରରେ ପ୍ରସ୍ତୁତ ହୋଇଥିବା ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ଅବତରଣ କରିବେ । ପରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାପର୍ଣ ତଥା ଶୁଭ ଉଦଘାଟନ କରିବେ । ଏଥିପାଇଁ ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ନେଇ କଲେଜ କର୍ତ୍ତୃପକ୍ଷ ବେଶ୍ ଉତ୍ସାହିତ ଅଛନ୍ତି ।
ଶହେ ସିଟ୍ ବିଶିଷ୍ଟ ଏହି କଲେଜ ଛାତ୍ରଛାତ୍ରୀଙ୍କ ଆଡମିସନ ଶେଷ ହୋଇଛି । ଛାତ୍ରଛାତ୍ରୀଙ୍କ ରହିବା ପାଇଁ ହଷ୍ଟେଲ, ଖେଳପଡିଆ, କ୍ୟାଣ୍ଟିନ୍, ଲ୍ୟାବ୍, କ୍ଲାସ ରୁମ୍ ସହ ପ୍ରଶାସନିକ ଭବନ ମଧ୍ୟ ପ୍ରସ୍ତୁତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କର ଏହା ଏକ ପ୍ରମୁଖ ପ୍ରୋଜେକ୍ଟ ହୋଇଥିବାବେଳେ ଏହି ନିର୍ମାଣ କାର୍ଯ୍ୟ ପାଇଁ ୫ ଶହ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ଏବେ ପ୍ରାଥମିକ ପର୍ଯ୍ୟାୟରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାତ୍ରଛାତ୍ରୀ ଶିକ୍ଷା ନେବାର ବ୍ୟବସ୍ଥା କରାଯାଇଛି ।