ଓଡିଶା

odisha

ETV Bharat / state

ପୁରୀ ଜିଲ୍ଲାରେ 'ଆମ ଓଡିଶା ନବୀନ ଓଡିଶା' ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ - ପୁରୀ ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ ସରକାରଙ୍କର ମହତ୍ତ୍ବକାଂକ୍ଷୀ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାର ଶୁଭାରମ୍ଭ ହୋଇଛି । ଭୁବନେଶ୍ବରରୁ ଭିସି ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ପୁରୀ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

ama odisha naveen odisha
ama odisha naveen odisha

By ETV Bharat Odisha Team

Published : Oct 14, 2023, 9:31 AM IST

ପୁରୀ: ପୁରୀ ଜିଲ୍ଲାରେ 'ଆମ ଓଡିଶା ନବୀନ ଓଡିଶା' ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କର ମହତ୍ତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଭୁବନେଶ୍ବରରୁ ଭିସି ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ପୁରୀ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।

ତେବେ ଜିଲ୍ଲାର ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା । ଏଥିପାଇଁ ପୁରୀ ଜିଲ୍ଲାର ୬ଟି ନିର୍ବାଚନ ମଣ୍ଡଳୀକୁ ମିଳିଛି ୧୩୪ କୋଟି ଟଙ୍କା ଏବଂ ଏଥିରେ ୪୧୩୦ଟି ପ୍ରକଳ୍ପ ହେବ । ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ ଓଡିଶା ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବ । ଏଥି ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ । ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳଦୁଆ । ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତାର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଯୋଜନାରେ ସଂସ୍କୃତି ସହିତ ଆଧୁନିକତାର ହେବ ସମନ୍ବୟ । ଏହି ସମନ୍ବୟରେ ଗାଁ ଗାଁରେ ଆସିବ ସମୃଦ୍ଧି । ଏହା ଏକବିଂଶ ଶତାଦ୍ଦୀର ଓଡିଶା ପାଇଁ ଆମର ସଂକଳ୍ପ । ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ । ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ । ଐତିହ୍ୟସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ । ଆମର ଭବିଷ୍ୟତ ବଂଶଧରମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହା ମଧ୍ୟ ପଢନ୍ତୁ- Ama Odisha Naveen Odisha Launches: ପୁରୀ ପାଇଁ ୧୩୪ ଓ ନୟାଗଡ ପାଇଁ ୯୭ କୋଟି

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ସାକାର ରୂପ ପାଇବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । କାର୍ଯ୍ୟକ୍ରମ ପାଇଁ ପୁରୀର ୬ଟି ନିର୍ବାଚନ ମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା । ପୁରୀର ୬ଟି ନିର୍ବାଚନ ମଣ୍ଡଳୀର ୨୬୮ଟି ଗ୍ରାମ ପଞ୍ଚାୟତର ୪୧୩୦ଟି ପ୍ରକଳ୍ପ ପାଇଁ ୧୩୪ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । 5T ସଚିବ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details