ପୁରୀ:ଆଜି ଅଣସର ଦଶମୀ ତିଥି । ପରମ୍ପରା ଅନୁଯାୟୀ ଆଜି ଶ୍ରୀମନ୍ଦିରକୁ ରାଜ ବୈଦ୍ୟ ଦଶମୂଳ ନେଇ ପହଞ୍ଚିଛନ୍ତି । ଆସନ୍ତାକାଲି ଏକାଦଶୀ ତିଥିରେ ଏହି ଆୟୁର୍ବେଦ ଔଷଧ ଦଶମୂଳ ମହାପ୍ରଭୁଠାରେ ଅର୍ପଣ ହେବ । ଏହାକୁ ସେବନ କରି ଜ୍ବରରେ ପୀଡ଼ିତ ଥିବା ଶ୍ରୀଜିଉ ଧୀରେ ଧୀରେ ଉପଶମ ପାଇବେ । ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ରାଜବୈଦ୍ୟ ଏହି ଦଶମୂଳ ମୋଦକ ଅଣବସର ଦଶମୀ ତିଥିରେ ନେଇ ଶ୍ରୀମନ୍ଦିର ଗାରଦ ଦେଇଛନ୍ତି ।
ମହାପ୍ରଭୁଙ୍କ ପାଇଁ ତିଆରି ହେଉଥିବା ଏହି ଦଶମୂଳ ମୋଦକ ପାରମ୍ପାରିକ ପଦ୍ଧତିରେ ପ୍ରସ୍ତୁତି ହୋଇଥାଏ । ଆୟୁର୍ବେଦିକ ପଦ୍ଧତି ଓ ଶାସ୍ତ୍ର ଅନୁସାରେ ଶ୍ରୀଜୀଉଙ୍କ ଲାଗି ଦଶମୂଳ ମୋଦକ ପ୍ରସ୍ତୁତ ହୋଇଥାଏ । ଏହା ଏକାଦଶୀ ଦିନ ଶ୍ରୀଜୀଉଙ୍କ ପାଖେ ସମର୍ପଣ ହୋଇଥାଏ । ଶ୍ରୀମନ୍ଦିରର ରାଜବୈଦ୍ୟ ସେବକମାନେ ପୁରୁଷାନୁକ୍ରମେ ମହାପ୍ରଭୁଙ୍କ ଏହି ସେବା କରିଥାନ୍ତି । ଏହି ମହୌଷଧି ପ୍ରସ୍ତୁତି ଲାଗି - ଶାଳପନ୍ନି, ଗମ୍ଭାରୀ, ଫଣଫଣା, କୃଷ୍ଣ ପନ୍ନି, ଅଗବଥୁ, ବେଲ, ଅଙ୍କରାନ୍ତି, ଗୋଖରା, ଲବିଂ କୋଳି, ନବାଙ୍କୁରୀକୁ ପ୍ରଥମେ ଶୁଖା ଯାଇଥାଏ । ପରେ ଏହାକୁ କୁଟା ଯାଇ ଗୁଣ୍ଡ କରାଯାଇଥାଏ । ଏହି ଗୁଣ୍ଡକୁ ଗାମୁଛାରେ ଛାଣି ନୂତନ କାଠ ଚୁଲିରେ କଡେଇ ବସା ଯାଇ ଖୁଆ, ଶର୍କରା, ସର, ମହୁ, ଘିଅ ଓ ଭାଙ୍ଗ ଆଦି ପକାଯାଇ ଏହାକୁ ପାଗ କରାଯାଏ ।
ପାଗ ପରେ ଏହାକୁ କଦଳୀ ପତ୍ର ଉପରେ ରଖି ଥଣ୍ଡା କରାଯାଇଥାଏ । ଥଣ୍ଡା ହେଲା ପରେ ଏହାକୁ ଗୋଲାକାର ମୋଦକ କରି ୩ଟି କୁଡୁଆରେ ରଖାଯାଇଥାଏ । ଏହା ଉପରେ କର୍ପୂର ଦେଇ ତାଳପତ୍ର ଭୋଗେଇରେ ରଖି ଶ୍ରୀମନ୍ଦିର ଗାରଦରେ ଦାଖଲ କରାଯାଇଥାଏ । ଏକାଦଶୀ ଦିନ ପତି ମହାପାତ୍ର ସେବକ ଏହି ଦଶମୂଳ ମୋଦକ ଶ୍ରୀଜୀଉଙ୍କ ପାଖରେ ଅର୍ପଣ କରନ୍ତି । ବିଭିନ୍ନ ପ୍ରକାରର ଚେରମୂଳିରୁ ପ୍ରସ୍ତୁତ ଔଷଧ ପ୍ରସ୍ତୁତ କରାଯାଇଛି । ସ୍ନାନ ପୂର୍ଣ୍ଣମୀ ଦିନ ସର୍ବାଙ୍ଗ ସ୍ନାନ ପରେ ଅସୁସ୍ଥ ହୋଇ ପଡିଥିବା ମହାପ୍ରଭୁଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ଲାଗି ଦଶମୂଳ ମହୌଷଧି ଲାଗି କରାଯାଏ । ପବିତ୍ର ଏକାଦଶୀ ତିଥି ଅବସରରେ ବିଳମ୍ବିତ ରାତିରେ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶ କ୍ରମେ ପତି ମହାପାତ୍ର ସେବକ ଏହାକୁ ଲାଗି କରିବେ ।