ଓଡିଶା

odisha

ETV Bharat / state

ଜଗା ସହରରେ ସିସିଟିଭି ଅଚଳ - CCTV not working in puri city

'ଫନି' ମାଡ ପରେ ଶ୍ରୀକ୍ଷେତ୍ରରେ କାମ କରୁନି ସିସିଟିଭି । ଶ୍ରୀମନ୍ଦିରକୁ ଛାଡି ଦେଲେ ବାକି ଅନ୍ୟାନ୍ୟ ସ୍ଥାନରେ ସିସିଟିଭି ଅଚଳ ହୋଇପଡିଛି । ଫଳରେ ଦିନକୁ ଦିନ ଲୁଟତରାଜ ବଢୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଜଗା ସହରରେ ସିସିଟିଭି ଅଚଳ

By

Published : Nov 17, 2019, 3:09 PM IST

ପୁରୀ: ସାରା ବିଶ୍ବରେ ପର୍ଯ୍ୟଟନ ମାନଚିତ୍ରରେ ଶ୍ରୀକ୍ଷେତ୍ରର ରହିଛି ସ୍ବତନ୍ତ୍ର ସ୍ଥାନ । କାଳିଆ ସାଆନ୍ତକୁ ଟିକେ ଦର୍ଶନ କରି ସମୁଦ୍ରରେ ଟିକେ ସ୍ନାନ କରିବା ପାଇଁ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କ ସମାଗମ ହେଉଥିବା ବେଳେ ଅସୁରକ୍ଷିତ ହୋଇପଡିଛି ପୁରୀ ସହର ।

ଜଗା ସହରରେ ସିସିଟିଭି ଅଚଳ

କାରଣ ସହରରେ କେବଳ ଶ୍ରୀମନ୍ଦିରକୁ ଛାଡି ଦେଲେ ବାକି କେଉଁ ସ୍ଥାନରେ ବି ସିସିଟିଭି କାମ କରୁନାହିଁ । ପୁରୀ ସହରର ବସଷ୍ଟାଣ୍ଡ ହେଉ କି ରେଳଷ୍ଟେସନ ଅବା ସହରର ପ୍ରବେଶ ପଥ ସିସିଟିଭି ଲାଗିଥିଲେ ଏବେ ତାହା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି । ଯାହାର ଫାଇଦା ଉଠାଉଛନ୍ତି କିଛି ଅସାମାଜିକ ବ୍ୟକ୍ତି ।

ସିସିଟିଭି କ୍ୟାମେରା ଅଚଳ ଯୋଗୁଁ ପୁରୀ ସହରରେ ଏକ ମାସ ଭିତରେ ଏକାଧିକ ଲୁଟ, ଛିନତାଇ ଘଟଣା ଘଟି ସାରିଲାଣି । ନିକଟରେ ବଡ଼ଶଙ୍ଖ ଠାରେ ଜଣେ ବ୍ୟକ୍ତିଙ୍କ ଠାରୁ ସୁନା ଚେନ, ମୁଦି ଲୁଟି ନେଇଥିଲେ କିଛି ଯୁବକ । ସେହିପରି ସଦର ଥାନା ନିକଟ ଦତ୍ତତୋଟାରେ ରାସ୍ତାରେ ଯାଉଥିବା ବେଳେ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଚେନ ଲୁଟ କରିଥିଲେ ଦୁର୍ବୃତ୍ତ । ସିସିଟିଭି ଫୁଟେଜ ନଥିବାରୁ ଏଯାଏଁ ଲୁଟେରାଙ୍କ ଟେର୍ ପାଉନି ପୋଲିସ ।

ଅନ୍ୟପଟେ ସହରରେ ସିସିଟିଭି ଅବ୍ୟବସ୍ଥାକୁ ସ୍ବୀକାର କରିଛନ୍ତି ପୁରୀ ଏସପି ଉମାଶଙ୍କର ଦାସ । 'ଫନି' ବାତ୍ୟା ଯୋଗୁଁ ସବୁ ସିସିଟିଭି ଅଚଳ ହୋଇପଡ଼ିଥିବା ସେ କହିଛନ୍ତି । ତେବେ ଏ ବିଷୟରେ ପୋଲିସ ହେଡ କ୍ବାର୍ଟରକୁ ଜଣାଇ ଦିଆଯାଇଛି । ଖୁବ ଶୀଘ୍ର ମରାମତି ଆରମ୍ଭ ହେବ ବୋଲି ଏସପି କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details