ପୁରୀ: ସହରର ଟାଉନ ହଲ୍ଠାରେ ଉଦ୍ଘାଟିତ ହୋଇଛି ଦୁଇ ଦିନିଆ ରାଜ୍ୟସ୍ତରୀୟ ବସ୍ ମାଲିକ ସମ୍ମିଳନୀ । ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ । ରାଜ୍ୟରେ ବସ୍ ମାଲିକଙ୍କର ଥିବା ବିଭିନ୍ନ ସମସ୍ୟା, ଯାତ୍ରୀ ପରିବହନକୁ ଅଧିକ ସୁଦୃଢ କରିବା, ଉପଯୁକ୍ତ ସେବା ଯୋଗାଇଦେବା ଭଳି ପ୍ରମୁଖ ପ୍ରସଙ୍ଗ ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା ।
ବିଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀକୁ ଯାତ୍ରୀ ଏବଂ ଭକ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ କିଭଳି ବସ ସେବାକୁ ଅଧିକରୁ ଅଧିକ ସୁଗମ କରିହେବ, ସେନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ପୁରୀକୁ ବହୁତ କମ୍ ଟ୍ରେନ୍ ଆସୁଥିବାରୁ ଯାତ୍ରୀ ଏବଂ ଭକ୍ତ ଯାତାୟତ ପାଇଁ ବସ୍ ଉପରେ ବିଶେଷ ଭାବରେ ନିର୍ଭର କରିଥାନ୍ତି । ତେଣୁ ଭକ୍ତ ଓ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖାଯାଇ ପୁରୀରେ ଏକ ଅତ୍ୟାଧୁନିକ ବିଶ୍ବସ୍ତରୀୟ ବସ ଷ୍ଟାଣ୍ଡର ଆବଶ୍ୟକତା ଥିବା ସଂଘ ପକ୍ଷରୁ କୁହାଯାଇଛି । ସେହିପରି ପୁରୀକୁ ୬ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ ନିର୍ମାଣ, ବିଭିନ୍ନ ରାଜ୍ୟକୁ ସିଧାସଳଖ ବସ ସେବା ଯୋଗାଇ ଦେବା ପାଇଁ ସରକାରଙ୍କ ନିକଟରେ ଦାବି ରଖିଛି ସଂଘ ।