ବ୍ରହ୍ମଗିରି: କୋରୋନା ଆକ୍ରାନ୍ତଙ୍କୁ ଡାକ୍ତରଖାନା ଆଣିବାକୁ ଯାଇ ପ୍ରଶାସନ ନିରାଶ। ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଳକର କହଳପଦା ଗ୍ରାମର 8 ଜଣ କୋରୋନା ରୋଗୀଙ୍କୁ ଡାକ୍ତରଖାନା ନେବାକୁ ପ୍ରଶାସନ ତାଙ୍କ ଘରେ ପହଞ୍ଚିଥିବା ବେଳେ ସେଠାରୁ ନିରାଶ ହୋଇ ଫେରିଛନ୍ତି । କେବଳ ସେତିକି ନୁହେଁ ସମ୍ପୃକ୍ତ ପରିବାରର ଜଣେ ଆକ୍ରାନ୍ତ ବ୍ରହ୍ମଗିରି ତହସିଲଦାର ଓ ଚିକିତ୍ସାଧିକାରୀଙ୍କ ସମେତ ପୋଲିସ ପ୍ରଶାସନ ସହ ଯୁକ୍ତିତର୍କ କରିଥିବା ଦେଖାଯାଇଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୂଚନା ମୁତାବକ ଗତ 8 ଦିନ ତଳେ ଏହି ପରିବାରର ଜଣେ ବୟସ୍କ ବ୍ୟକ୍ତି ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଆଖି ବୁଜିଥିଲେ । ହେଲେ ମୃତ୍ୟୁ ପରେ ସେ କୋରୋନା ପଜିଟିଭ ଥିବା ଜଣା ପଡିଥିଲା । ଏନେଇ ପରିବାରର ସମସ୍ତଙ୍କର କୋରୋନା ଟେଷ୍ଟ କରାଯାଇଥିଲା । ଯେଉଁଥିରେ ପରିବାରର 8 ଜଣ ପଜିଟିଭ ଥିବା ଜଣା ପଡିଥିଲା । ତେବେ ଏହି ଆକ୍ରାନ୍ତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେବାକୁ ପ୍ରଥମେ ଆମ୍ବୁଲାନ୍ସ ଆସିଥିଲା । ହେଲେ ପରିବାର ଲୋକେ ଯିବା ପାଇଁ ରୋକଠୋକ ମନା କରିଦେଇଥିଲେ ।