ପୁରୀ: ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଘର ଉପରକୁ ବୋମାମାଡ । ପ୍ରଥମେ ଫୋନରେ ଧମକ ଦେବା ପରେ ଘର ଉପରକୁ ବୋମାମାଡ କରିଥିବା ଅଭିଯୋଗ ହୋଇଛି । ଏଥିରେ ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଝିଅ ଆହତ ହୋଇଥିବା ସୂଚନା ।
ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଘର ଉପରକୁ ବୋମାମାଡ, ଜଣେ ଆହତ ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ମସଜିଦ ନିକଟରେ ଘଟିଛି ଏହି ଘଟଣା । ଜିଲ୍ଲା ମ୍ୟୁନିସପାଲିଟି ଅଫିସରେ ଏନଫୋର୍ସମେଣ୍ଟ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା କାଶିନାଥ ମହାରଣାଙ୍କ ଘର ଉପରକୁ ବୋମାମାଡ କରାଯାଇଛି । ଦୁର୍ବୃତ୍ତମାନେ ତିନୋଟି ବୋମା ମାଡ କରି ଫେରାର ହୋଇଯାଇ ଥିବାବେଳେ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଦୁର୍ବୃତ୍ତଙ୍କ ବୋମାମାଡରେ କାଶିନାଥଙ୍କ ଝିଅ ଆହତ ହୋଇ ଥିବାବେଳେ ଘରର କାନ୍ଥ ଭାଙ୍ଗି ଯାଇଛି । ଗତ ୧୬ ତାରିଖରେ କାଶୀନାଥଙ୍କ ଘରୁ ଦୁର୍ବୁତ୍ତମାନେ ପାରା ଚୋରି କରିଥିଲେ । ଏନେଇ କୁମ୍ଭାରପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଗିରଫ କରିନଥିଲା । ସେପଟେ ଏନେଇ ଥାନାରୁ କେସ୍ ପ୍ରତ୍ୟାହାର କରିବାକୁ ଫୋନ ଯୋଗେ ଧମକ ଦେଇଥିଲେ ଦୁର୍ବୃତ୍ତ । ଏହାପରେ କାଶିନାଥଙ୍କ ଘର ଉପରେ ବୋମାମାଡ କରିଥିବା ଅଭିଯୋଗ ହୋଇଛି ।
ପୁରୀରେ ଫୁଟିଲା ବୋମା
- ଜନଗହଳି ପୂର୍ଣ୍ଣ କୁମ୍ଭାରପଡା ଅଞ୍ଚଳରେ ଫୁଟିଲା ଲଗାତାର ତିନୋଟି ବୋମା
- ପ୍ରଥମେ ଫୋନରେ ଧମକ 15ମିନିଟ ପରେ ବୋମା ମାଡ
- ଥାନାଠାରୁ 300ମିଟର ଦୁରରେ ଫୁଟିଲା ବୋମା
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ