ଓଡିଶା

odisha

ETV Bharat / state

ପୁରୀରେ ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ, ଅନ୍ୟାୟ ବିରୋଧରେ ଲଢିବାକୁ ନେଲେ ସଙ୍କଳ୍ପ - ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ରାଜ୍ୟ ସରକାରଙ୍କ ଅନ୍ୟାୟ ଅନୀତି ବିରୋଧରେ ଲଢେଇ ପାଇଁ ବିଜେପି ଯୁବମୋର୍ଚ୍ଚାର କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ବିଜେପିର ବରିଷ୍ଠ ନେତା । ଅଧିକ ପଢନ୍ତୁ

bjp Yuva morcha executive meeting held in puri
bjp Yuva morcha executive meeting held in puri

By

Published : Feb 23, 2023, 11:15 AM IST

bjp Yuva morcha executive meeting held in puri

ପୁରୀ:ବୁଧବାର ପୁରୀ ସଂସ୍କୃତି ଭବନ ଠାରେ ବିଜେପି ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେପିର ବହୁ ନେତା ଏଥିରେ ସାମିଲ ହୋଇ ଯୁବମୋର୍ଚ୍ଚାର କର୍ମକର୍ତ୍ତା ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଆଗାମୀ ଦିନରେ ବିଜେପି ଯୁବମୋର୍ଚ୍ଚା ଗୁରୁଦାୟିତ୍ୱ ନେଇ ରାଜ୍ୟ ସରକାରଙ୍କ ଅନ୍ୟାୟ ଅନୀତି ବିରୋଧରେ କିପରି ଲଢେଇ କରିବ ସେନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା । ରାଜ୍ୟ ସରକାରଙ୍କ ବିଫଳତାକୁ ଅସ୍ତ୍ର କରିବା ସହ କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା କିଭଳି ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ପହଞ୍ଚିବ ସେନେଇ ବୈଠକରେ ବରିଷ୍ଠ ନେତୃଵୃନ୍ଦ ମାନେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ ।

ସେପଟେ ତୃଣମୂଳସ୍ତରରୁ ଦଳର ସ୍ଥିତିକୁ ମଜବୁତ କରିବା ସହ ବୁଥ୍ ଟୁ ବୁଥ୍ ଯାଇ ଲୋକଙ୍କ ସମସ୍ୟା ସହ ଯୋଡିହୋଇ ସେମାନଙ୍କ ହକର ଲଢେଇରେ ସାମିଲ ହେବାକୁ ବରିଷ୍ଠ ନେତା ମାନେ କର୍ମକର୍ତ୍ତା ମାନଙ୍କୁ ବୁଝାଇଥିଲେ । ରାଜ୍ୟରେ ହେଉଥିବା ଅରାଜକତା, ବେକାରୀ ସମସ୍ୟା, ଶିକ୍ଷିତ ଯୁବକ ଦାଦନ ଖଟିବାକୁ ଯିବା, ମହିଳାଙ୍କ ସୁରକ୍ଷା, ଓଡିଶାରେ ଦୋଷୀ ଦଣ୍ଡ ନପାଇବା ଓ ଦଣ୍ଡବିଧାନ ହାର କମିବା, ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିବା, ଖେଳର ଭିତ୍ତିଭୂମି ନାମରେ ହରିଲୁଟ୍ ଓ ଠିକାଦାର ପୋଷା ନୀତିକୁ ବିରୋଧ, ଶିକ୍ଷା ଓ ସ୍ୱାସ୍ଥ୍ୟ ଅବସ୍ଥା ବିପର୍ଯ୍ୟସ୍ତ ଇତ୍ୟାଦି ପ୍ରମୁଖ ପ୍ରସଙ୍ଗକୁ ଯୁବମୋର୍ଚ୍ଚା ଅସ୍ତ୍ର କରି ଆଗାମୀ ଦିନରେ ରାଜ୍ୟବ୍ୟାପି ଆନ୍ଦୋଳନ କରିବାକୁ ବୈଠକରେ ନିଷ୍ପତ୍ତି ଓ ସଂକଳ୍ପ ନିଆଯାଇଥିଲା ।

ଏନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଥିଲେ ଯେ, ''ନବୀନ ସରକାର ଦୀର୍ଘ 20 ବର୍ଷରୁ ଅଧିକ ସମୟ ଶାସନ ଗାଦିରେ ରହିବା ସତ୍ତ୍ବେ ମଧ୍ୟ ରାଜ୍ୟରେ ଯୁବକଙ୍କୁ ରୋଜଗାର ଦେବାରେ ବିଫଳ ହୋଇଛନ୍ତି । ଫଳରେ ଅନ୍ୟ ରାଜ୍ୟକୁ ଯୁବକ ଯୁବତୀ ମାନେ ଚାକିରି କରିବାକୁ ଯାଉଛନ୍ତି । ଏହା ଅତ୍ୟନ୍ତ ଦୁଃଖର ବିଷୟ, ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ତଦନ୍ତରେ ରାଜ୍ୟ ସରକାର ହାଇକୋର୍ଟଙ୍କ ମନିଟରିଂ ତଦନ୍ତ କରୁଥବା କଥାକୁ ସମାଲୋଚନା କରିଥିଲେ ରାଜ୍ୟ ବିଜେପି ମୁଖ୍ୟ ।

ସରକାରଙ୍କ ତତ୍ତ୍ବାବଧାନରେ ଜଣେ ଜଜଙ୍କୁ ଦାୟିତ୍ଵ ଦେଇ ହାଇକୋର୍ଟଙ୍କ ନିରୀକ୍ଷଣରେ ତଦନ୍ତ କଥା ରାଜ୍ୟ ସରକାର ମିଛ କହି ଲୋକଙ୍କୁ ଭୂଆଁ ବୁଲାଇବା ଦୁଃଖର ବିଷୟ । ଯଦି ସରକାର ସ୍ୱଚ୍ଛ ତାହାଲେ ସିବିଆଇ ଦ୍ୱାରା ତଦନ୍ତକୁ କାହିଁକି ସରକାର ପଛଘୁଞ୍ଚା ଦେଉଛନ୍ତି ବୋଲି ସମୀର ମହାନ୍ତି ପ୍ରଶ୍ନ କରିଥିଲେ । ନବୀନ ସରକାରରେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଅତି ନିମ୍ନଗାମୀ ହୋଇଛି । ବେରୋଜଗାରୀ ବଢିବା, ନାରୀ ନିର୍ଯାତନା ଆଦି ପ୍ରସଙ୍ଗକୁ ନେଇ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବ ବୋଲି ବିଜେପି ସଭାପତି ସମୀର ମହାନ୍ତି ମତ ଦେଇଥିଲେ। ''

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ୍‌ ଆଚାର୍ଯ୍ୟ, ରାଜ୍ୟ ଯୁବମୋର୍ଚ୍ଚା ପ୍ରଭାରୀ ତଥା ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, କେନ୍ଦ୍ର ପ୍ରଭାରୀ ଶଶାଙ୍କ ଶେଖର ପ୍ରମୁଖ ବିଜେପି ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସାମିଲ ହୋଇଥିଲେ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details