ପୁରୀ: ‘‘ରାଜ୍ୟରେ ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି ଆଇନଶୃଙ୍ଖଳା ସ୍ଥିତି । ଦିନ ଦ୍ବିପ୍ରହରରେ ମନ୍ତ୍ରୀଙ୍କୁ ହତ୍ୟା କରାଯାଉଛି । ହେଲେ ହତ୍ୟାକାଣ୍ଡ ପଛରେ ଥିବା ମାଷ୍ଟମାଇଣ୍ଡକୁ କ୍ରାଇମ୍ ବ୍ରାଞ୍ଚ ଧରିବା ଅବହେଳା କରୁଛି । ସେହିପରି ରାଜ୍ୟରେ ହତ୍ୟା, ଦୁଷ୍କର୍ମ ଘଟଣା ବଢ଼ି ଚାଲିଥିବା ବେଳେ ଯାହାକୁ ରୋକିବାରେ ଓଡ଼ିଶା ସରକାର ସମ୍ପୂର୍ଣ ବିଫଳ ହୋଇଛନ୍ତି ।’’ ରାଜ୍ୟ ସରକାରଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣି ପୁରୀ ବିଜେପି ପକ୍ଷରୁ ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ପ୍ରତିବାଦ କରାଯାଇଛି । ତୁରନ୍ତ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାକୁ ବିଜେପି ଦାବି କରିଛି ।
ଏଥି ସହିତ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେବା ସହ ରାଜ୍ୟର ଏକ ବରିଷ୍ଠ ମନ୍ତ୍ରୀଙ୍କୁ ପୋଲିସ ହତ୍ୟା କରିବା ଘଟଣାକୁ ନିନ୍ଦା କରିଛି ବିଜେପି । ଏହାସହ CBI ତଦନ୍ତ କରିବା ଲାଗି ଦାବି କରିବା ସହ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ପାଇଁ ରାଜ୍ୟରେ ଅରାଜକତା ବଢୁଥିବା ବିଜେପି ଆଭିଯୋଗ କରିଛି ।
ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବରିଷ୍ଠ ବିଜେପି ନେତ୍ରୀ ପ୍ରଭାତି ପରିଡ଼ାଙ୍କ ସହ ଶତାଧିକ ବିଜେପି କର୍ମୀ ଏଥିରେ ସାମିଲ ହୋଇଥିଲେ । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ସାଧାରଣ ଲୋକଟିଏ ନ୍ୟାୟ ପାଇପାରୁନି । ସେହିପରି ସାଧାରଣ ଲୋକଟିଏ ଥାନାକୁ ଗଲେ ପୋଲିସ ତାର ଏତଲା ରଖୁନାହିଁ । ନ୍ୟାୟାଳୟର ହସ୍ତକ୍ଷେପ ପରେ ପୋଲିସ ଯାଇ ଏତଲା ଗ୍ରହଣ କରୁଛି। ଫଳରେ ତଦନ୍ତର ଫଳାଫଳ ସନ୍ଦେହ ଘେରରେ ରହୁଛି ବୋଲି ଅଭିଯୋଗ କରିଛି ବିଜେପି।