ପୁରୀ: ଶାସକ ବିଜେଡିକୁ ଜୋରଦାର ଝଟକା । ପୁରୀ ଜିଲ୍ଲା 11 ନମ୍ବର ଜୋନ ଜିଲା ପରିଷଦ ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରମୋଦ ରାୟ ବିଜୟୀ ହୋଇଛନ୍ତି । ମନ୍ତ୍ରୀ ସମୀର ଦାଶଙ୍କ ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀଙ୍କ ବିଜୟ ମନ୍ତ୍ରୀ ସମୀର ଦାଶଙ୍କ ପାଇଁ ଏକ ଝଟକା ହୋଇଛି । ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ଭାଗୀରଥି ସେନାପତିଙ୍କୁ ବିଜେପି ପ୍ରାର୍ଥୀ 176 ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ବିଜେପି ପ୍ରାର୍ଥୀ ପ୍ରମୋଦ ରାୟ 11 ହଜାର 240 ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ଭାଗୀରଥି ସେନାପତି 11 ହଜାର 64ଟି ଭୋଟ ପାଇଛନ୍ତି ।
ଝାରସୁଗୁଡ଼ା ଉପ ନିର୍ବାଚନ ପୂର୍ବରୁ ବିଜେଡ଼ିଗଡରେ ବିଜେପି ପ୍ରାର୍ଥୀଙ୍କ ବିଜୟ ବିରୋଧୀ ବିଜେପିକୁ ଉତ୍ସାହିତ କରିଛି । ଶାସକ ଦଳର ଅନ୍ୟାୟ, ଅନୀତି, ଗୁଣ୍ଡାରାଜ ବିରୋଧରେ ଲୋକ ଅତିଷ୍ଠ ହୋଇ ଏହି ଜବାବ ଦେଇ ଥିବା ପୁରୀର ବରିଷ୍ଠ ବିଜେପି ନେତା କହିଛନ୍ତି । ସୂଚନା ଥାଉକି, ପୂର୍ବତନ ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ବିଜେପି ଆନ୍ଦୋଳନ କରିଥିଲା । ଘଟଣାରେ ମନ୍ତ୍ରୀ ସମୀର ଦାଶଙ୍କ ହାତ ଥିବା ଅଭିଯୋଗ ନେଇ ବିଜେପି ଆନ୍ଦୋଳନକୁ ଓହ୍ଲାଇଥିଲା । ମନ୍ତ୍ରୀ ସମୀର ଦାଶଙ୍କ ଇସ୍ତଫା ଦାବି କରିଥିଲା ବିଜେପି । ଏପରିକି ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁରେ ମନ୍ତ୍ରୀ ସମୀର ଦାସଙ୍କୁ ଦାୟୀ କରି ଉପକୂଳରୁ ଉପାନ୍ତ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଏବେ ଉପନିର୍ବାଚନରେ ବିଜେଡିକୁ ଭୋଟରମାନେ ଉପଯୁକ୍ତ ଜବାବ ଦେଇଥିବା କହିଛି ବିଜେପି ।