ପୁରୀ: ଆସନ୍ତା 22ତାରିଖରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର। ପୁରୀ ଜିଲ୍ଲାର ଡେଲାଙ୍ଗ ଓ ପିପିଲିରେ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ନେଇ ମତଦାନ ହେବ। ଏନେଇ ସମସ୍ତ ପ୍ରାର୍ଥୀଙ୍କ ହେଭିୱେଟ ପ୍ରଚାର ଦେଖିବାକୁ ମିଳୁଛି । ପ୍ରାର୍ଥୀମାନେ ଘରକୁ ଘର ବୁଲି ଜନତାଙ୍କଠାରୁ ଭୋଟ ହାତେଇବାରେ କସରତ କରୁଛନ୍ତି ।
ଡେଲାଙ୍ଗ ଓ ପିପିଲିରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ। ଦଳ ପକ୍ଷରୁ ଡେଲାଙ୍ଗ ଓ ପିପିଲି ବ୍ଳକରେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ବିଜେପି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଗାଁକୁ ଗାଁ ବାଇକରେ ବୁଲି ପ୍ରଚାର କରୁଛନ୍ତି। ଫନି ଆର୍ଥିକ ସହାୟତା, ଆବାସ ଯୋଜନାରେ ପକ୍କା ଘର ପ୍ରଦାନରେ ଶାସକ ଦଳର ବ୍ୟାପକ ଦୁର୍ନୀତିକୁ ମୂଳ ଲକ୍ଷ୍ୟ କରି ବିଜେପି ନିର୍ବାଚନ ଲଢ଼ୁଛି । ବିଜେଡିର କୁଶାସନ, ଅରାଜକତା, ଦୁର୍ନୀତିକୁ ନେଇ ଲୋକ ମାନେ ତୀଵ୍ର ଅସନ୍ତୁଷ୍ଟ ଥିବା ବେଳେ ବିଜେପି ପ୍ରତି ଲୋକଙ୍କ ଯଥେଷ୍ଟ ସମର୍ଥନ ବଢୁଥିବା ନେଇ ଆଶ୍ରିତ ପଟ୍ଟନାୟକ କହିଛନ୍ତି ।