ଓଡିଶା

odisha

ETV Bharat / state

PMGKAY ପୁନଃକାର୍ଯ୍ୟକ୍ଷମ ଦାବି, ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟ ଆଗରେ ବିଜେଡିର ବିକ୍ଷୋଭ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ପୁନଃ କାର୍ଯ୍ୟକ୍ଷମ ଦାବିରେ ବିଜେପିର ପ୍ରତିବାଦ । ଭୁବନେଶ୍ବର ଓ ବ୍ରହ୍ମଗିରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଛି ବିଜେଡି । କେନ୍ଦ୍ର ସରକାର ରାଜ୍ୟ ପ୍ରତି ଥିବା ଗଣତାନ୍ତ୍ରିକ ଦାୟିତ୍ଵ ନିର୍ବାହ କରିବା ପାଇଁ ଦାବି କରିଛନ୍ତି ବିଜେଡି ସମ୍ପାଦକ ସଞ୍ଜୟ ଦାସବର୍ମା । ଅଧିକ ପଢ଼ନ୍ତୁ

By

Published : Feb 16, 2023, 9:07 PM IST

ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟ ଆଗରେ ବିଜେଡିର ବିକ୍ଷୋଭ
ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟ ଆଗରେ ବିଜେଡିର ବିକ୍ଷୋଭ

ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟ ଆଗରେ ବିଜେଡିର ବିକ୍ଷୋଭ

ଭୁବନେଶ୍ବର/ବ୍ରହ୍ମଗିରି: ରାଜ୍ୟର ବିଭିନ୍ନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ବ୍ଲକ ସମ୍ମୁଖରେ ଆଜି ପ୍ରଦର୍ଶନ ଏବଂ ଆନ୍ଦୋଳନ କରିଛି ବିଜୁ ଜନତା ଦଳ । କେନ୍ଦ୍ର ସରକାର PMGKYକୁ ପୁନଃ ଆରମ୍ଭ କରିବାକୁ ଦାବି କରିଛି ବିଜେଡି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସମସ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଯଦି କେନ୍ଦ୍ର ସରକାର PMGKYକୁ ଶୀଘ୍ର ଲାଗୁ ନକରନ୍ତି, ତେବେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ଏବଂ ଓଡିଶାର ଗରିବ ଓ କୃଷକଙ୍କ ଅଧିକାର ପାଇଁ ଲଢିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

କେନ୍ଦ୍ର ସରକାରଙ୍କ ନୀତି ଚାଷୀ ମାରଣ ବୋଲି ଅଭିଯୋଗ କରି ବିରୋଧ କରିଛି ବିଜେଡି । ସାରା ରାଜ୍ୟରେ ଚାଷୀଙ୍କ ହକ ନାମରେ ଆନ୍ଦୋଳନ କରୁଛି ବିଜୁ ଜନତା ଦଳ । ଏନେଇ ଗୁରୁବାର ରାଜ୍ୟର ସବୁ ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟ ଆଗରେ ଧାରଣା ଦେଇଛି ବିଜେଡି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ଓ ବ୍ରହ୍ମଗିରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଛି ବିଜେଡି । ଭୁବନେଶ୍ବର ବ୍ଲକ ଆଗରେ ଜିଲ୍ଲା ସଭାପତି ସୁଶାନ୍ତ ରାଉତଙ୍କ ନେତୃତ୍ବରେ ଦଳ ଆନ୍ଦୋଳନ କରିଛି । ସେହିପରି କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ପ୍ରସଙ୍ଗକୁ ନେଇ ବ୍ରହ୍ମଗିରି ବ୍ଲକର ୨୫, କୃଷ୍ଣପ୍ରସାଦ ବ୍ଲକର ୨୧ ଓ ପୁରୀ ସଦର ବ୍ଲକର ୧୧ଟି ପଞ୍ଚାୟତର ବିଜୁ ଜନତା ଦଳ ପକ୍ଷରୁ ସମସ୍ତ ବ୍ଲକ ସମ୍ମୁଖରେ ଧାରଣା ସହିତ ପ୍ରତିବାଦ କରାଯାଇଛି । ବ୍ରହ୍ମଗିରି ବ୍ଲକରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଦାସବର୍ମା ଧାରଣାସ୍ଥଳରେ ଯୋଗ ଦେଇଛନ୍ତି ।

ଏନେଇ ସଞ୍ଜୟ କହିଛନ୍ତି, "କୋରୋନା ମହାମାରୀରେ କେନ୍ଦ୍ର ସରକାର ସ୍ଵତନ୍ତ୍ର ଭାବରେ ଅତିରିକ୍ତ ୫ କେଜି ମାଗଣା ଚାଉଳ ଗରିବ ହିତାଧିକାରୀଙ୍କୁ ପ୍ରଦାନ କରୁଥିଲେ । ହେଲେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରିବା ଯୋଗୁଁ ହିତାଧିକାରୀଙ୍କୁ ମିଳୁଥିବା ୫ କେଜି ଲେଖାଏଁ ଚାଉଳ ବନ୍ଦ ହୋଇଯାଇଛି । କେନ୍ଦ୍ର ସରକାର ଲକ୍ଷ ଲକ୍ଷ ଗରିବ ଲୋକଙ୍କ ପେଟକୁ ଲାତ ମାରିଛନ୍ତି । ଏହି କଥାକୁ କେନ୍ଦ୍ର ସରକାର ଉପଲବ୍ଧି କରି ତୁରନ୍ତ ୫ କେଜି ଚାଉଳର ପୁନଃ ଯୋଜନା ଆରମ୍ଭ କରିବା ଆବଶ୍ୟକ । ବିକେନ୍ଦ୍ରୀକୃତ ଧାନ ସଂଗ୍ରହ ବ୍ୟବସ୍ଥା ମାଧ୍ୟମରେ ଓଡ଼ିଶାରେ ଉତ୍ପାଦିତ ହେଉଥିବା ଚାଷିକୁଳର ସମସ୍ତ ଚାଉଳକୁ କ୍ରୟ କରିବା ପାଇଁ କେନ୍ଦ୍ରସରକାର FCI ମାଧ୍ୟମରେ ଅନୁବନ୍ଧିତ ହୋଇଛନ୍ତି । ରାଜ୍ୟ ସରକାର ଓ FCI ମଧ୍ୟରେ ହୋଇଥିବା MOU ସର୍ତ୍ତ ଅନୁସାରେ ରାଜ୍ୟର ସମସ୍ତ ବଳକା ଚାଉଳ କେନ୍ଦ୍ର ସରକାର ଉଠାଇବା କଥା । କିନ୍ତୁ ରାଜ୍ୟ ସରକାରଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ପାତରଅନ୍ତର ନୀତି ଯୋଗୁଁ ରାଜ୍ୟର ଚାଷିକୂଳ ବିଶେଷ କ୍ଷତି ସହୁଛନ୍ତି । ରାଜ୍ୟର କୃଷିଭିତ୍ତିକ ଗ୍ରାମୀଣ ଅର୍ଥନୀତି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେଉଛି ।"

ତେବେ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାର ରାଜ୍ୟ ପ୍ରତି ରହିଥିବା ଗଣତାନ୍ତ୍ରିକ ଦାୟିତ୍ଵ ନିର୍ବାହ କରିବା ପାଇଁ ସଞ୍ଜୟ ଦାବି କରିଛନ୍ତି । ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳର ବରିଷ୍ଠ ନେତା ଭଗବାନ ନାୟକ କହିଛନ୍ତି, "ଧାନ କିଣା ବାବଦରେ ବଜେଟ ଅନୁଦାନ 20 ହଜାର କୋଟି ଟଙ୍କା କାଟିବା ସମୀଚିନ ନୁହେଁ ।" କାର୍ଯ୍ୟକ୍ରମରେ ବିଜେଡି ନେତା କାର୍ତ୍ତବିଯ୍ୟ ସ୍ଵାଇଁ, ନୁନୁ ମିଶ୍ର, ଲକ୍ଷ୍ମୀଧର ସାହୁ, ବିଦ୍ୟାଧର ସ୍ଵାଇଁ, ସ୍ଵପ୍ନାରାଣୀ ସ୍ଵାଇଁ, ରତ୍ନମାଳା ବେହେରା, ମାଳିନୀ ଦଳାଇ, ଯୁଧିଷ୍ଠିର ନାୟକ, ଜମ୍ବେଶ୍ଵର ସାହୁ, ସରୋଜିନୀ ତରେଇ, ସନ୍ଦିପ କୁମାର ଜେନା, ଶକୁନ୍ତଳା ଗଡ଼ୁ, ନିରଞ୍ଜନ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ । ବ୍ରହ୍ମଗିରି ବିଡିଓଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ଇଟିଭି ଭାରତ, ବ୍ରହ୍ମଗିରି/ଭୁବନେଶ୍ୱର

ABOUT THE AUTHOR

...view details