ପୁରୀ:ଜନ ସମ୍ପର୍କ ପଦଯାତ୍ରା(Jan Sampark Padyatra) ବାହାନାରେ ନିମାପଡାରେ ଶକ୍ତି ପ୍ରଦର୍ଶନ କରିଛି ଶାସକ ବିଜୁ ଜନତା ଦଳ । ନିମାପଡା ନିର୍ବାଚନ ମଣ୍ଡଳୀରେ ବିଜେଡିର 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି । ନିମାପଡା ନିର୍ବାଚନ ମଣ୍ଡଳୀରେ ବିଜେଡିର 25 ବର୍ଷ ପୂର୍ତ୍ତି ହୋଇଛି । ଏ ନେଇ ନିମାପଡାର ବାରବାଟି ପଡିଆରେ ମହା ସମାବେଶ କରଯାଇଛି । ନିମାପଡା ଓ ଗୋପ ଅଞ୍ଚଳର ହଜାର ହଜାର ବିଜେଡି କର୍ମୀ ଏଥିରେ ସାମିଲ ହୋଇଛନ୍ତି ।
ନିମାପଡାରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା ନିମାପଡାର ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ନେତୃତ୍ବରେ ଏହି ବିଶାଳ ଜନ ସଂପର୍କ ପଦଯାତ୍ରାର ସମାବେଶ ଆୟୋଜନ କରାଯାଇଛି । ତେବେ ବିଜେଡ଼ି ସରକାରଙ୍କ ଜନ କଲ୍ୟାଣ ମୂଳକ ଯୋଜନା ଲୋକଙ୍କୁ ଅବଗତ କରାଇବା ନେଇ ଏହି ମହା ସମାବେଶ ଆୟୋଜନ ହୋଇଛି ।
ଏହା ମଧ୍ୟ ପଢନ୍ତୁ: Dhamnagar By Election: ଲଢିବା ପାଇଁ ଆଗ୍ରହ ଦେଖାଇଲେ ଅନନ୍ତ ସେଠୀ
ଏଥିରେ ବିଜେଡ଼ିର ବହୁ ବରିଷ୍ଠ ନେତା ଯୋଗ ଦେଇଛନ୍ତି । ତେବେ ମନ୍ତ୍ରୀ ସମୀର ଦାଶଙ୍କ ବିରୋଧରେ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସହୁଙ୍କ ମୃତ୍ୟୁ ପଛରେ ହାତ ଥିବା ଅଭିଯୋଗ ନେଇ ବିଜେପି ମନ୍ତ୍ରୀ ସମିର ଦାଶଙ୍କ ଇସ୍ତଫା ଓ ଗିରଫ ଦାବି କରିବା ସହ ବାରମ୍ବାର ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହାକୁ ନେଇ ମନ୍ତ୍ରୀ ସମୀର ଦାଶ ବିଜେପିକୁ କାଉଣ୍ଟର କରିବା ସହ ନିଜର ଲୋକପ୍ରିୟତା ଥିବା ଦର୍ଶାଇବା ପାଇଁ ଏହି ସମାବେଶ କରାଯାଇଥିବା ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟ ଯେ, "ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା(Jan Sampark Padyatra) ଆରମ୍ଭ ହୋଇଛି । ନଭେମ୍ବର 2 ପର୍ଯ୍ୟନ୍ତ ଏକ ମାସବ୍ୟାପୀ ‘ଜନସମ୍ପର୍କ ପଦଯାତ୍ରା’ ଚାଲିବ । ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟରେ ଏହି ଯାତ୍ରା ଆରମ୍ଭ କରାଯାଇଛି । ଏହାସହ ଜନସେବା ଆଭିମୁଖ୍ୟକୁ ଆହୁରି ବ୍ୟାପକ କରିବାକୁ ବିଜେଡି ସୁପ୍ରିମୋ ଦଳୀୟ କର୍ମକର୍ତ୍ତାଙ୍କୁ ବାର୍ତ୍ତା ଦେବେ । ଏନେଇ ଗତ 29 ଓ 30 ତାରିଖ ଧରି ବିଜୁ ଜନତା ଦଳର ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଥିଲା ।
ସମସ୍ତ ରାଜ୍ୟ କର୍ମକର୍ତ୍ତା, ପର୍ଯ୍ୟବେକ୍ଷକ, ସଂଯୋଜକ, ସାଂସଦ, ବିଧାୟକ, ବିଧାୟିକା, ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି, ରାଜ୍ୟ ସଭାପତି ଏବଂ ବ୍ଲକ ଓ ନଗର ସଭାପତିଙ୍କ ସହ ଯୁବ, ଛାତ୍ର ଓ ମହିଳା ସଂଗଠନର କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ବିଜୁ ଜନତା ଦଳ ଅକ୍ଟୋବର 2 ‘ଗାନ୍ଧୀ ଜୟନ୍ତୀ’ରୁ ନଭେମ୍ବର 2 ପର୍ଯ୍ୟନ୍ତ ଏକ ମାସବ୍ୟାପୀ ‘ଜନ ସମ୍ପର୍କ ପଦଯାତ୍ରା’ ଓଡ଼ିଶାର ଜନସାଧାରଣଙ୍କ ସହିତ ପାଳନ କରିବ ।
ଇଟିଭି ଭାରତ, ପୁରୀ