ପୁରୀ: ସତ୍ୟବାଦୀରେ 5T ସଚିବଙ୍କୁ କାଳିମାଡ଼ ଘଟଣାକୁ ନେଇ ଆରମ୍ଭ ହୋଇଯାଇଛି ବାକ୍ଯୁଦ୍ଧ । ଏହି ଘଟଣାରେ ବିଜେଡି-ବିଜେପି ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି । ଏହି ଘଟଣାରେ ବିଜେପିକୁ ସିଧାସଳଖ ଦୋଷାରୋପ କରିଛି ବିଜେଡି । କାଳିମାଡ଼ ପଛରେ ବିଜେପିର ହାତ ରହିଛି, ଏବଂ କାଳିମାଡ଼ କରିଥିବା ବ୍ୟକ୍ତି ବିଜେପି ସମର୍ଥିତ ବୋଲି କହିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । ସେପଟେ 5T ସଚିବଙ୍କ ଉପରେ କାଳିମାଡ଼ ଘଟଣାକୁ ନିନ୍ଦା କରିବା ସହ ଶାସକ ଦଳର ଅଭିଯୋଗ ଭିତ୍ତିହୀନ ଏବଂ ସେ ସେହି ବ୍ୟକ୍ତି ବିଜେପିର ନୁହେଁ ବୋଲି କହିଛନ୍ତି ସତ୍ୟବାଦୀ ବିଜେପି ନେତା ଓମ ପ୍ରକାଶ ମିଶ୍ର ।
5T ସଚିବଙ୍କୁ କାଳିମାଡ଼ ଘଟଣାରେ ବିଜେପିକୁ କାଠଗଡ଼ାକୁ ଆଣିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । ସେ କହିଛନ୍ତି, "ବିଜେପି ଷଡ଼ଯନ୍ତ୍ର କରି କାଳିମାଡ଼ କରିଛି । କାଳିମାଡ଼ କରିଥିବା ବ୍ୟକ୍ତି ହେଉଛନ୍ତି ବିଜେପି ସମର୍ଥିତ ବ୍ୟକ୍ତି । ବିକାଶ କାର୍ଯ୍ୟକୁ ବିରୋଧ କରି ଏଭଳି କୁତ୍ସିତ କାର୍ଯ୍ୟ କରିବା ଅତ୍ୟନ୍ତ ନିନ୍ଦନୀୟ । ସତ୍ୟବାଦୀ ମାଟି ହେଉଛି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ମାଟି । ଏହା ଅହିଂସାର ମାଟି । ଏଠାରେ ବିଜେପି ରାଜନୀତି ନାଁରେ ଯେଭଳି ହିଂସାତ୍ମକ କାର୍ଯ୍ୟ କରିଛି, ତାହା ଅତ୍ୟନ୍ତ ନିନ୍ଦନୀୟ । ତେବେ ବିଜେପିର ଏହି ହୀନ ରଜିନୀତି ସତ୍ତ୍ବେ ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟରେ ରୋକ୍ ଲାଗିବ ନାହିଁ । କାଳିମାଡ଼ ପରେ ବି 5T ସଚିବ କୌଣସି ବିଚଳିତ ନହୋଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଯାହାକି ପ୍ରମାଣିତ କରୁଛି ସଚିବ ଲୋକଙ୍କ ପାଇଁ ସବୁ କିଛି ସହିବାକୁ ପ୍ରସ୍ତୁତ ।" ତେବେ ଯେଭଳି ବିଜେପି ସତ୍ୟବାଦୀରେ କୁତ୍ସିତ କାର୍ଯ୍ୟ କରିଛି, ଲୋକେ କ୍ଷମା ଦେବେନି ବୋଲି କହିଛନ୍ତି ବିଜେଡି ବିଧାୟକ ।