ଘୋଷଯାତ୍ରା ପାଇଁ ଗୁଣ୍ଡିଚା ମନ୍ଦିରରେ ଚାଲିଥିବା ମରାମତି କାର୍ଯ୍ୟ ପୁରୀ: ବିଶ୍ବ ପ୍ରସିଦ୍ଧ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ ପୁରୀ । ଘୋଷଯାତ୍ରା ପାଇଁ ଗୁଣ୍ଡିଚା ମନ୍ଦିରରେ ଚାଲିଛି ମରାମତି କାର୍ଯ୍ୟ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଯାତ୍ର ପୂର୍ବରୁ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରହିଛି । ଏନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ବରିଷ୍ଠ ସେବାୟତ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁଣ୍ଡିଚା ମନ୍ଦିର ମରାମତି ପାଇଁ ୧୪ଲକ୍ଷ ୮୨ ହଜାର ୪୪୭ ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ଶ୍ରୀଗୁଣ୍ଡିଚା ମନ୍ଦିରର କାନ୍ଥ, ଚଟାଣ, ବାହାର ଓ ଭିତର ରଙ୍ଗ ସହ ଅନ୍ୟାନ୍ୟ ଆବଶ୍ୟକୀୟ ମରାମତି କରାଯିବ। ତେବେ ଗୁଣ୍ଡିଚା ମନ୍ଦିର ନାଟ ମଣ୍ଡପର ଚାରୋଟି ମୁଖ୍ୟ କଲମ ମଧ୍ୟରୁ ତିନୋଟିରେ ଏବଂ ବିମ୍ ରେ ଫାଟ ଥିବା ସାମ୍ନାକୁ ଆସିଥିଲା । ଏହାକୁ ଅସ୍ଥାୟୀ ଭାବେ ଲୁହା କ୍ଲାମ୍ପ ଦିଆଯାଇ ମରାମତି କରାଯାଇଥିଲା। କିନ୍ତୁ ଏହାର ସ୍ଥାୟୀ ମରାମତି କାର୍ଯ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ଏହାର ବିକଳ୍ପ ବ୍ୟବସ୍ଥା କିଭଳି କରାଯାଇପାରିବ ସେନେଇ ଜିଲ୍ଲାପାଳ ସେବାୟତଙ୍କ ସହ ଆଲୋଚନା କରିଥିଲେ।
ବରିଷ୍ଠ ସେବାୟତ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି, "ଅନେକ କାର୍ଯ୍ୟ କରିବାକୁ ଆଛି । ମନ୍ଦିରରେ ବିଭିନ୍ନ ସମସ୍ୟା ରହିଛି ଘୋଷଯାତ୍ରା ପୂର୍ବରୁ ମରାମତି କରନଗଲେ ଭକ୍ତଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡ଼ିବ । ତେବେ ରଥଯାତ୍ରାରେ ସାମିଲ ହେବାକୁ ଥିବା ଭକ୍ତ ଓ ସେବାୟତଙ୍କ ପାଇଁ ୫ଲକ୍ଷ ଟଙ୍କାର ବୀମା ରାଶିର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଥିବାରୁ ଏହା ଅତ୍ୟନ୍ତ ସ୍ବାଗତ ଯୋଗ୍ୟ । ରଥଯାତ୍ରା ଯେତିକି ପାଖେଇ ଆସୁଛି ପ୍ରଶାସନିକ ସ୍ତରରେ ସେତିକି ତତ୍ପରତା ପ୍ରକାଶ ପାଉଛି । ତେବେ ଯଥା ସମୟରେ କାର୍ଯ୍ୟ ସରିବ ବୋଲି ଆଶା ରଖାଯାଇଛି ।"
ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, "ରଥଯାତ୍ରା ପୂର୍ବରୁ ମେଡିକାଲ ଛକଠାରୁ ବାଟ ଗାଁ ରାସ୍ତା ହେବ ଚାରି ଲେନ୍ । ଭକ୍ତ ଓ ପର୍ଯ୍ୟଟକଙ୍କ ଗମନାଗମନ ସୁବିଧାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ । ଗତକାଲି(ଗୁରୁବାର)ଠାରୁ ଜେଲ୍ ରୋଡରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଜନଶୁଣାଣୀ ପରେ ବିସ୍ଥାପିତଙ୍କ ଜମି ଅଧିଗ୍ରହଣ କରୁଛି ପ୍ରଶାସନ । ରାସ୍ତା ପ୍ରଶସ୍ତିକରଣ କରାଗଲେ ପୁରୀର ଟ୍ରାଫିକ ସମସ୍ୟା ଦୂର ହେବ । ସେପଟେ ୪୩ ଏକର ଜାଗା ଉପରେ ଏକ ବିରାଟ ପାର୍କିଂ ସ୍ଥଳ ନିର୍ମାଣ କାର୍ଯ୍ୟ ଜାରି ରହିଛି । ତେବେ ଏହି ସବୁ ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପରେ ପୁରୀ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନେ ଟ୍ରାଫିକ ସମସ୍ୟାରେ ପଡ଼ିବେ ନାହିଁ ।"
ଇଟିଭି ଭାରତ, ପୁରୀ