ଓଡିଶା

odisha

ETV Bharat / state

ଶ୍ରୀଜିଉଙ୍କ ପହଣ୍ଡି ପାଇଁ ସାକ୍ଷୀଗୋପାଳରୁ ବଉଳକାଠ ସଂଗ୍ରହ - ସେନାପଟା ବାହୁଟ

ଚଳିତବର୍ଷ ସ୍ନାନ ଓ ରଥଯାତ୍ରା ପାଇଁ ବଉଳକାଠବାହୀ ଶଗଡ଼ି ଶୋଭାଯାତ୍ରାରେ ସାକ୍ଷୀଗୋପାଳ ସିଦ୍ଧବକୁଳ ମନ୍ଦିରରୁ ଶ୍ରୀକ୍ଷେତ୍ର ଅଭିମୁଖେ ମେଲାଣି ଦିଆଯାଇଛି। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

baula-katha-start-journey-to-puri-for-ratha-yatra
ଶ୍ରୀଜିଉଙ୍କ ପହଣ୍ଡି ପାଇଁ ସାକ୍ଷୀଗୋପାଳରୁ ବଉଳକାଠ ସଂଗ୍ରହ

By

Published : Jun 2, 2020, 7:53 PM IST

Updated : Jan 22, 2021, 5:28 PM IST

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ ଠାକୁରଙ୍କ ସେନାପଟ ଓ ବାହୁଟ ସେବା ନିମନ୍ତେ ଆବଶ୍ୟକ ବଉଳକାଠ ଆଜି (ମଙ୍ଗଳବାର) ପବିତ୍ର ନିର୍ଜଳା ଏକାଦଶୀ ତିଥିରେ ପରମ୍ପରା କ୍ରମେ ସାକ୍ଷୀଗୋପାଳରୁ ଶ୍ରକ୍ଷେତ୍ରକୁ ନିଆଯାଇଛି। ଏହି ଉପଲକ୍ଷେ ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ଏକ ଅଧ୍ୟାତ୍ମିକ ଶୋଭାଯାତ୍ରା ସହିତ ବଉଳକାଠ ଶଗଡିକୁ ବକୁଳବନରୁ ମହାସମାରୋହରେ ମେଲାଣି ଦିଆଯାଇଛି। କୋରୋନା ପାଇଁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସାମାଜିକ ଦୂରତା ବଜାୟ ରଖିବା ସହିତ ସମସ୍ତ ନିୟମକୁ ମାନି ଶଗଡିକୁ ମେଲାଣି ଦିଆଯାଇଛି । ଶ୍ରୀମନ୍ଦିରର ପ୍ରଚଳିତ ପରମ୍ପରା କ୍ରମେ ସକାଳୁ ରଥ ନିର୍ମାଣ ତତ୍ବାବଧାରକ ସୁଦର୍ଶନ ମେକାପ, ଶ୍ରୀମନ୍ଦିର ଭୋଇ ସେବକ ଓ ମନ୍ଦିର କର୍ମଚାରୀମାନେ ସାକ୍ଷୀଗୋପାଳରେ ପହଞ୍ଚିଥିଲେ।

ଶ୍ରୀଜିଉଙ୍କ ପହଣ୍ଡି ପାଇଁ ସାକ୍ଷୀଗୋପାଳରୁ ବଉଳକାଠ ସଂଗ୍ରହ

ଚଳିତବର୍ଷ ବଣିଆସାହିର ହୃଷିକେଶ ମହାନ୍ତି ଓ କାଳିଆ ମହାନ୍ତଙ୍କ ବଗିଚାରୁ ବଉଳବୃକ୍ଷ ଚୟନ କରାଯାଇଥିଲା। ନିର୍ଦ୍ଧାରିତ ମାପରେ ତିନିଖଣ୍ଡ କାଠଗଣ୍ଡି କଟାଯାଇ ବଳଦ ଶଗଡରେ ବକଳୁବନ ସ୍ଥିତ ସିଦ୍ଧବକୁଳ ମନ୍ଦିରକୁ ଅଣାଯାଇଥିଲା। ଏଥିପାଇଁ ସିଦ୍ଧବଳରାମଙ୍କ ପୀଠରେ ଉପସ୍ଥିତ ଶ୍ରଦ୍ଧାଳୁ ଓ ଶ୍ରୀ ଜଗନ୍ନାଥ ପ୍ରେମୀ ବିଜେ କାହାଳୀ, ଘଣ୍ଟ, ମର୍ଦ୍ଦଳ, ହରିନାମ କୀର୍ତ୍ତନ, ସହିତ ହରିବୋଲ ହୁଳହୁଳି ମଧ୍ୟରେ କାଠ ଶଗଡିକୁ ବନ୍ଦାପନା କରିବା ପରେ ମୁଖ୍ୟଅତିଥି ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ ସବୁଜ ପତାକା ଦେଖାଇ କାଠ ଶଗଡି ଶୋଭାଯାତ୍ରକୁ ମେଲାଣି ଦେଇଥିବା ବେଳେ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର, ଅତିରିକ୍ତ ବିଡିଓ ସାରଦା ପ୍ରସାଦ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ପ୍ରହଲ୍ଲାଦ ଘଟୁଆରୀ ଅନ୍ୟତମ ଅତିଥିଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସିଦ୍ଧବକୁଳ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ହରିନାମ କୀର୍ତ୍ତନ, ଘଣ୍ଟ, ମର୍ଦ୍ଦଳ, ମୃଦଙ୍ଗବାଦ୍ୟନୃତ୍ୟ, ବୈରଖ ସହିତ ଶ୍ରୀରାଧା ମଣ୍ଡଳ ଏବଂ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁମାନେ ଏକ ଆଧ୍ୟାତ୍ମିକ ଶୋଭାଯାତ୍ରାରେ ବକୁଳବନ ଠାରୁ ବାଟମହାବୀର ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ ।

ପ୍ରକାଶ ଥାଉକି, ଶ୍ରୀଜିଉଙ୍କ ପହଣ୍ଡି କାଳୀନ ସୁରକ୍ଷା ପାଇଁ ସେନାପଟା ଓ ବାହୁଟ ଲାଗି ସେବା ପ୍ରଚଳିତ ରହିଛି। ବକୁଳବନରୁ ସଂଗୃହିତ ବଉଳକାଠ ଚିରଟ କରାଯାଇ ସେଥିରେ ଶ୍ରୀମନ୍ଦିର ବିଶ୍ବକର୍ମା ସେବାୟତ ସେନାପଟା ଓ ବାହୁଟ ପ୍ରସ୍ତୁତ କରନ୍ତି। ଦେବସ୍ନାନ ପୁର୍ଣ୍ଣମୀ ଠାରୁ ନିଳାଦ୍ରୀ ବିଜେ(ଘର ପହଣ୍ଡି) ପର୍ଯ୍ୟନ୍ତ ଠାକୁରଙ୍କର ପହଣ୍ଡି ବିଜେ ପୁର୍ବରୁ ସେନପଟା ଓ ବାହୁଟ ଲାଗି କରାଯାଇଥାଏ। ଦଇତାପତି ସେବାୟତ ମାନେ ମନ୍ଦିରକୁ ପ୍ରବେଶ କରିବା ପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବଉଳ କାଠରେ ନିର୍ମିତ ବହୁଟ ଓ ସେନାପଟା ଲାଗି କରିବାର ପରମ୍ପରା ରହିଛି। ଶ୍ରୀମନ୍ଦିରର ଗୁପ୍ତ ସେବା ମାନଙ୍କ ମଧ୍ୟରେ ଏହିସେବା ଅନ୍ତର୍ଭୁକ୍ତ।

ପୁରୀ ଯିବା ବାଟରେ ଶ୍ରୀକ୍ଷେତ୍ରର ମୁଖଶାଳା ସଦୃଶ ରହିଥିବା ଷୋଳ ଶାସନ ୩୨ କରବାଡ ପରିବେଷ୍ଟନୀ ପ୍ରଭୁ ଶ୍ରୀ ସାକ୍ଷୀଗୋପାଳଙ୍କ ଲୀଳାକ୍ଷେତ୍ର ଭାବରେ ପରିଚିତ ସତ୍ୟବାଦୀ/ସାକ୍ଷୀଗୋପଳ ସହିତ ଶ୍ରୀମନ୍ଦିରର ପାରମ୍ପରୀକ ସମ୍ପର୍କ ରହିଆସିଛି। ଏହି ପରମ୍ପରା ସୃଷ୍ଟିର ପ୍ରଚ୍ଛଦପଟରେ ଭକ୍ତି ଭାବନା ଲୋକମୁଖରେ ଏବେବି ପ୍ରଚାରିତ। ବକୁଳବନର ବଉଳ ବୃକ୍ଷ ମୂଳରେ ତପସ୍ୟା କରୁଥିବା ଜଣେ ସାଧୁଙ୍କ ଭକ୍ତି ଭାବନାକୁ ପରଖିବା ପାଇଁ ଏକଦା ଜଗା ବଳିଆ ଦୁଇଭାଇ ବୁକଳବନକୁ ରାତ୍ରୀ ବିହାର କରିବାକୁ ଆସିଥିଲେ। ବକୁଳବନର ପାଚିଲା ପଣସ ମହାପ୍ରଭୁଙ୍କୁ ଆକର୍ଷିତ କରିବାରୁ ଦୁଇଭାଇ ପାଚିଲା ପଣସ ଖାଇଥିଲେ। ପାଚିଲା ପଣସର ବାସ୍ନା ସିଦ୍ଧ ପୁରଷ ଏହି ସାଧୁ ଜାଣିପାରି ଜଙ୍ଗଲରେ ପସି କେହି ପାଚିଲା ପଣସ ଖାଉଥିବା ସନ୍ଦେହ କରିଥିଲେ। ଠାକୁର ଦୁଇଭାଇ ସିଦ୍ଧ ପୁରୁଷଙ୍କ ନିକଟତର ହେବାରୁ ଅଧିକ ବସ୍ନାବାରି ସାଧୁ କିଏ କିଏ ପଣସ ଚୋରୀ କରୁଛ ବୋଲି ପାଟି କରିଥିଲେ।

ତୁମକୁ ବଉଳ ବୃକ୍ଷରେ ବାନ୍ଧିବି ସକାଳେ ରାଜାଘର ଲୋକଙ୍କ ନିକଟରେ ହାଜର କରାଇବି ବୋଲି ସିଦ୍ଧବଳରାମ କହିଥିଲେ। ଆମେ ପଣସ ଖାଇନାହୁଁ ଖାଇନାହୁଁ କହି ଦୁଇଭାଇ ସିଦ୍ଧ ପୁରଷଙ୍କୁ ଅଜା ଭାବରେ ଥଟ୍ଟାକରି ତାଙ୍କ ମୁଣ୍ଡରେ ହାତରଖି ରାଣ ଦିଅନ୍ତେ ଜଗା ବଳିଆ ମହପ୍ରଭୁଙ୍କ ସ୍ବହସ୍ତରେ ଲାଗିଥିବା ପଣସ ଅଠା ସାଧୁଙ୍କ ଜଟାରେ ଲିଗିଯାଇଥିଲା। ବିରକ୍ତ ହୋଇ ସାଧୁ ଜଣକ ଧ୍ୟାନଭଙ୍ଗ କରି ପଣସ ଚୋରଙ୍କୁ ବାନ୍ଧିବାକୁ ଉଦ୍ୟମ କରିବାରୁ ମହାପ୍ରଭୁ ନିଜର ଦିବ୍ୟଲୀଳା ପ୍ରକାଶ କରିଥିଲେ। ମହାପ୍ରଭୁଙ୍କ ସାନିଧ୍ୟ ପାଇ ସାଧୁ କୃତ୍ୟକୃତ୍ୟ ହୋଇ ମହାପ୍ରଭୁଙ୍କ ନିକଟରେ ସାଷ୍ଟ୍ରାଙ୍ଗ ପ୍ରଣିପାତ କରିଥିଲେ। ଭକ୍ତ ଓ ଭଗବାନ ମଧ୍ୟରେ ରହିଥିବା ଏହି ଦିବ୍ୟଲୀଳା ଜନ ମାନସରେ କିଭଳି ପ୍ରତିୟମାନ ହେବ ଏଥି ପାଇଁ ମହାପ୍ରଭୁଙ୍କୁ ନିବେଦନ କରିଥିଲେ। ସେଥିପାଇଁ ପ୍ରତିବର୍ଷ ସ୍ନାନଯାତ୍ରାର ଅବ୍ୟବହିତ ପୂର୍ବରୁ ମହାପ୍ରଭୁଙ୍କ ପହଣ୍ଡିବିଜେ ନିମନ୍ତେ ବାହୁଟ ସେବା ପାଇଁ ସାକ୍ଷୀଗୋପାଳର ବଉଳ କାଠ ଲୋଡା ହୋଇଥାଏ।

ବକୁଳବନରେ ବଉଳକାଠର ଅଭାବ ଦେଖାଦେଇଥିବାରୁ ଏହି ପରମ୍ପରା ଓ ମହାପ୍ରଭୁ ଜଗାବଳିଆଙ୍କ ଅଜାଘର ସମ୍ପର୍କକୁ ଅତୁଟ ରଖିବା ସହିତ ବକୁଳବନରେ ବଉଳ ବୃକ୍ଷ ରୋପଣ ପାଇଁ ବିଗତ 14 ବର୍ଷଧରି ଉଦ୍ୟମ ଜାରି ରହିଥିବା କହିଛନ୍ତି ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚର ସଂପାଦକ କିଶୋର ଚନ୍ଦ୍ର ମହାପାତ୍ର। ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହିତ ସତ୍ୟବାଦୀ ଅଞ୍ଚରେ ରହିଥିବା ସମସ୍ତ ବଉଳବୃକ୍ଷ ଶ୍ରୀଜଗନ୍ନାଥ ମହପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବାକୁ ଜନଜାଗରଣ ସୃଷ୍ଟି କରାଯାଉଛି। ବକୁଳବନ ଆଖପାଖରେ ଥିବା ଗ୍ରାମରୁ ବିଗତ ବର୍ଷ ମାନଙ୍କରେ ବଉଳ ବୃକ୍ଷ ଯୋଗାଇଦେଇ ଅଞ୍ଚଳବାସୀ ସମ୍ପର୍କର ଶଗଡି ଗଡିବାରେ ସହଯୋଗର ହାତ ବଢାଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jan 22, 2021, 5:28 PM IST

ABOUT THE AUTHOR

...view details