ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ବସନ୍ତ ପଞ୍ଚମୀ ନୀତି ସମ୍ପନ୍ନ

ମାଘ ଶୁକ୍ଳ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଭାବେ ବସନ୍ତ ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁଯାୟୀ ଏହି ଦିନ ସନ୍ଧ୍ୟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମୁଖ ଭାଗରେ ରାଜଗୁରୁ ଓ ପୁରୋହିତଙ୍କ ଦ୍ବାରା ରଥ କାଠ ତ୍ରୟଙ୍କର ପୂଜାର୍ଚ୍ଚନା ବିଧିମତେ ସମ୍ପନ୍ନ ହୋଇଥିଲା । ଅଧିକ ପଢନ୍ତୁ...

ଶ୍ରୀମନ୍ଦିରରେ ବସନ୍ତ ପଞ୍ଚମୀ ନୀତି ଅନୁଷ୍ଠିତ
ଶ୍ରୀମନ୍ଦିରରେ ବସନ୍ତ ପଞ୍ଚମୀ ନୀତି ଅନୁଷ୍ଠିତ

By

Published : Feb 17, 2021, 8:05 AM IST

ପୁରୀ: ଶ୍ରୀମନ୍ଦିରରେ ବସନ୍ତ ପଞ୍ଚମୀ ନୀତି । ମାଘ ଶୁକ୍ଳ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଭାବେ ବସନ୍ତ ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଛି । ଗତକାଲି(ମଙ୍ଗଳବାର) ଶ୍ରୀମନ୍ଦିର ଦ୍ବାର ଫିଟା ନୀତି ପ୍ରାତଃ ୫ଟା 45ରେ ହୋଇ ଭିତର ଶୋଧ ୬ଟା ୨୦ରେ ଏବଂ ମହାପ୍ରଭୁଙ୍କ ମଙ୍ଗଳ ଆଳତି ୬ଟା ୩୫ରେ ସମ୍ପନ୍ନ ହୋଇଥିଲା । ପରେ ମହାପ୍ରଭୁଙ୍କ ପରବର୍ତ୍ତୀ ଦୈନନ୍ଦିନ ନୀତି ବଢି ମଧ୍ୟାନ୍ନ ଧୂପ ସରି ଦ୍ବିତୀୟ ଭୋଗମଣ୍ଡପ ପରେ ମଇଲମ ହୋଇ ମେକାପ ସର୍ବାଙ୍ଗ ଚନ୍ଦନଲାଗି ହେବାପରେ ଶ୍ରୀଦେବୀ, ଭୂଦେବୀ ଦଖିଣି ଘରକୁ ବିଜେ ହୋଇଥିଲେ । ଭିତର ଚାଚେରୀ ବେଶ ବଢ଼ି ଚାଚେରୀ ଭୋଗ ଉଠିବା ପରେ ଶ୍ରୀଦେବୀ, ଭୂଦେବୀ ଓ ଦୋଳଗୋବିନ୍ଦ ସିଂହାସନକୁ ବିଜେ କରିଥିଲେ ।

ଚାଚେରି ଭୋଗ ଅନ୍ତେ ପୂଜାପଣ୍ଡା ସାମନ୍ତେ, ପତି ମହାପତ୍ରେ ଏବଂ ମୁଦିରସ୍ତଙ୍କ ଦ୍ଵାରା ଘଣ୍ଟ ଛତା ଫଗୁ ସର୍ବାଙ୍ଗ ହେବାପରେ ମୁଦିରସ୍ତେ ପ୍ରସାଦ ଲାଗି, ବନ୍ଦାପନା ଏବଂ ପରେ ରାଜନୀତି କରିଥିଲେ । ତତ୍ପରେ ଘଣ୍ଟ, ଛତା, କାହାଳୀ ପଟୁଆରରେ ସିଂହଦ୍ବାର ଦେଇ ବିମାନ ଜଗନ୍ନାଥ ବଲ୍ଲବ ଅଭିମୁଖେ ଯାତ୍ରା କରିଥିଲା । ସେଠାରେ ରୁନ୍ଧା ଖୋଲାଯାଇ ଠାକୁର, ଠାକୁରାଣୀ ଜଗତି ଉପରେ ବିଜେ ହେଲାପରେ ଫଗୁ ଖେଳିଥିଲେ ଏବଂ ଆଲଟ ଚାମର ହୋଇ ବନ୍ଦାପନା ହୋଇଥିଲେ ।

ଏହାପରେ ବେଣ୍ଟ ପାଖରୀକୁ ବେଣ୍ଟ ବିନ୍ଧିବା ନିମନ୍ତେ ବିଜେ ହୋଇଥିଲେ । ବେଣ୍ଟ ବିନ୍ଧା ନୀତି ସାରି ଠାକୁର, ଠାକୁରାଣୀ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିଥିଲେ । ତତ୍ପରେ ଭିତରେ ସନ୍ଧ୍ୟା ଧୂପ ସାରିଲାପରେ ମା' ସରସ୍ବତୀଙ୍କ ମନ୍ଦିରରେ ପାଞ୍ଜି ପୂଜା କରାଯାଇଥିଲା । ପରମ୍ପରା ଅନୁଯାୟୀ ଏହି ଦିନ ସନ୍ଧ୍ୟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମୁଖ ଭାଗରେ ରାଜଗୁରୁ ଓ ପୁରୋହିତଙ୍କ ଦ୍ବାରା ରଥ କାଠ ତ୍ରୟଙ୍କର ପୂଜାର୍ଚ୍ଚନା ବିଧିମତେ ସମ୍ପନ୍ନ ହୋଇଥିଲା ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details