ଓଡିଶା

odisha

ETV Bharat / state

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି; ସନ୍ଧ୍ୟା ୬ଟାରୁ ସାଧାରଣ ଦର୍ଶନ ବନ୍ଦ - ବନକଲାଗି ନୀତି

ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି । ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ । ଅଧିକ ପଢନ୍ତୁ

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି
ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି

By

Published : May 17, 2023, 9:52 AM IST

ପୁରୀ: ଆଜି ଜ୍ୟେଷ୍ଠ-କୃଷ୍ଣ ତ୍ରୟୋଦଶୀ ତିଥି । ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତିରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଥାଏ । ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ଏକ ଗୁପ୍ତ ନୀତି ହୋଇଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥାଏ ।

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି

ଏହାମଧ୍ୟ ପଢନ୍ତୁ : ଶାରଳା ମନ୍ଦିରରେ ବାଣ ବିସ୍ଫୋରଣ ଘଟଣା, ପାରାଦ୍ବୀପରୁ ଜଣେ ଗିରଫ

ପରମ୍ପରା ଅନୁଯାୟୀ ବୁଧବାର ଦିନ ମହାପ୍ରଭୁଙ୍କ ବନକ ଲାଗି ହୋଇଥାଏ । ଦି’ପ୍ରହର ଧୂପ ସରିବା ପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ । ଦତ୍ତ ମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଠାକୁରମାନଙ୍କର ଶ୍ରୀମୁଖସିଂହାର କରନ୍ତି । ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ପ୍ରାୟ ତିନି ଘଣ୍ଟା ସମୟ ଶ୍ରୀମନ୍ଦିରର ସମସ୍ତ ଦ୍ବାର ସମ୍ପୂର୍ଣ୍ଣ ବନ୍ଦ ରହେ । ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଏ ।

ଏହି ବନକଲାଗି ନୀତି ପାଇଁ ଏକ ସ୍ବତନ୍ତ୍ର ସେବାୟତ ଗୋଷ୍ଠୀ ଅଛନ୍ତି । ଏମାନଙ୍କୁ ଦତ୍ତ ମହାପାତ୍ର କୁହାଯାଏ । ଏମାନଙ୍କ କାମ ହେଲା ରଙ୍ଗ ପ୍ରସ୍ତୁତ କରିବା ଓ ବିଗ୍ରହରେ ଲଗାଇବା । ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହୃତ ହୋଇଥାଏ । ବଜାରରେ ମିଳୁଥିବା ରଙ୍ଗ ବନକଲାଗିରେ ବ୍ୟବହାର ହୁଏ ନାହିଁ । ମହାପ୍ରଭୁଙ୍କ ଲାଗି ଉର୍ଦ୍ଦିଷ୍ଟ ରଙ୍ଗଗୁଡିକ ପ୍ରସ୍ତୁତ ପାଇଁ ଭିତର ବେଢାର ଉତ୍ତର ପଟେ ଗୋଟିଏ କୋଠରୀ ରହିଛି । ଏହାକୁ ବନକଲାଗି ଘର କୁହାଯାଏ ।

ଶଙ୍ଖକୁ ଚୂର୍ଣ୍ଣ କରି ଧଳା ରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ । ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶେ । କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ । ରତ୍ନସିଂହାସନ ଆଗରେ ଯେଉଁ ଭୋଗ ବଢା ହୁଏ ତା’ର ଗରମବାଷ୍ପ ଯୋଗୁଁ ମୁଖମଣ୍ଡଳର ଉଜ୍ଜଳତା କମିଯାଏ । କସ୍ତୁରୀ ବ୍ୟବହାର ଯୋଗୁଁ ରଙ୍ଗ ଦୀର୍ଘସ୍ଥାୟୀ ହୁଏ । ତେଣୁ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ସନ୍ଧ୍ୟା ୬ଟାରୁ ୪ ଘଣ୍ଟା ବନ୍ଦ ରହିବ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details