ପୁରୀ: ଆଜି କାର୍ତ୍ତିକ-କୃଷ୍ଣ ଦଶମୀ ମଳ ତିଥି । ଏହି ତିଥିରେ ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଖାର କରିବେ । ଏହି ସ୍ବତନ୍ତ୍ର ନୀତି ପାଇଁ 4 ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା 5ଟାରୁ ରାତି 9ଟା ଯାଏ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି ।
ବନକଲାଗି ନୀତିରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇଥାଏ । ପରମ୍ପରା ଅନୁଯାୟୀ ବୁଧବାର ଅବା ଗୁରୁବାର ଦିନ ମହାପ୍ରଭୁଙ୍କ ବନକ ଲାଗି ହୋଇଥାଏ । ଦ୍ବିପ୍ରହର ଧୂପ ସରିବା ପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ । ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଠାକୁର ମାନଙ୍କର ଶ୍ରୀମୁଖସିଂହାର କରନ୍ତି । ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ପ୍ରାୟ 4ଘଣ୍ଟା ସମୟ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହେ । ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ ବନକ ଲାଗି କୁହାଯାଏ । ଏହା ଶ୍ରୀଜିଉଙ୍କର ଏକ ସ୍ବତନ୍ତ୍ର ନୀତି ।