ଭୁବନେଶ୍ବର/ପୁରୀ: ଦିନ ଯେତେ ଗଡ଼ୁଛି ମହାପ୍ରଭୁଙ୍କ ବନକଲାଗି ବିବାଦ ସେତେ ତୀବ୍ର ହେଉଛି । ଦତ୍ତ ମହାପାତ୍ର ଗତକାଲି ବନକଲାଗି ନୀତି କରିବା ପାଇଁ ପ୍ରସ୍ତୁତ ଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମନା କରାଯାଇଥିଲା । ତେଣୁ ଗତକାଲି ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରିନଥିଲା । ଏହାପରେ ଆଜିର ବୈଠକରେ କିଛି ନିଷ୍କର୍ସ ବାହାରିବ ବୋଲି ଆଶା କରାଯାଉଥିଲା । ଏହା ମଧ୍ୟ ସମ୍ଭବ ହୋଇପାନରିନି । ଆଜିର ବୈଠକରୁ କୌଣସି ନିଷ୍କର୍ସ ବାହାରି ନଥିବାରୁ ଆଗାମୀ ଅଗଷ୍ଟ ୧ ତାରିଖରେ ଆୟୋଜିତ ହେବାକୁ ଥିବା ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ଚୂଡାନ୍ତ ହେବ ବୋଲି ଆଶା କରାଯାଉଛି । ତେବେ ମହାପ୍ରଭୁଙ୍କ ନୀତି ବିଭ୍ରାଟ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛି କଂଗ୍ରେସ ।
ଆଜିର ପ୍ରେସ୍ମିଟ୍ରେ କଂଗ୍ରେସ ମୁଖପାତ୍ର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ରାଜ୍ୟରେ ମଣିମା ତଥା ମୁଖ୍ୟମନ୍ତ୍ରୀଙ୍କ ଚଳନ୍ତି ପ୍ରତିମାଙ୍କ ଅନୁପସ୍ଥିତି ପାଇଁ ନୀତି ବନ୍ଦ ହୋଇ ରହିଛି । ଯିଏ ମନ୍ଦିର ପ୍ରଶାସକ ରଞ୍ଜନ ଦାସ ଅଛନ୍ତି, ସେ ଚାହିଁଲେ ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ି ପାରନ୍ତା । କିନ୍ତୁ ସେ କରିଦେଲେ କାଳେ ମାଇଲେଜ ନେଇଯିବେ, ସେଥିପାଇଁ ଏହି ବିବାଦ ବଢ଼ିବାରେ ଲାଗିଛି । ଗୁରୁବାର ମା' ଲକ୍ଷ୍ମୀଙ୍କ ବାର । ତେଣୁ ସେହିଦିନ ଦତ୍ତ ମହାପାତ୍ର ସେବା କରିବାକୁ ଚାହୁଁଛନ୍ତି । ହେଲେ କଣ ପାଇଁ ତାଙ୍କୁ ସହଯୋଗ କରାଯାଉ ନାହିଁ ? କଂଗ୍ରେସ ଏହାକୁ ତୀବ୍ର ବିରୋଧ କରୁଛି ।" ଆଉ କାଳ ବିଳମ୍ବ ନକରି ଚଳନ୍ତି ପ୍ରତିମାଙ୍କୁ ଅପେକ୍ଷା ନକରି ନୀତି କରନ୍ତୁ ବୋଲି ସେ ଦାବି କରିଛନ୍ତି ।