ପୁରୀ: ଆଉ ଦୁଇଦିନ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏଥିପାଇଁ ପ୍ରସ୍ତୁତିପର୍ବ ଜୋରସୋରରେ ଆଗେଇ ଚାଲିଛି। ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଆଧାରରେ ସାକ୍ଷୀଗୋପାଳର ତିଳତଣ୍ଡୁଳିତ ବକୁଳବନରୁ ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ପାଇଁ ବଉଳ କାଠ କାହିଁ କେଉଁ କାଳରୁ ସଂଗ୍ରହ କରାଯାଇ ଆସୁଛି।
ତେବେ ସତ୍ୟବାଦୀ ବକୁଳ ବନରୁ ଗତକାଲି(ସୋମବାର) ମହାପ୍ରଭୁଙ୍କ ସେନାପଟା ଲାଗି ପାଇଁ ବଉଳ କାଠ ପୁରୀରେ ପହଞ୍ଚିଚି। ଏକ ଶଗଡରେ ସୁନ୍ଦରଭାବରେ ସୁସଜ୍ଜିତ ହୋଇ ବଉଳ କାଠ ଆସି ପହଞ୍ଚି ଥିବା ବେଳେ ଏହି କାଠକୁ ଦୋଳବେଦୀ ଭିତରେ ରଖାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଓ ଏମାର ମଠ ଟ୍ରଷ୍ଟି ମୁଖ୍ୟ ସତ୍ୟବାଦୀ ବକୁଳ ବନରେ ପହଞ୍ଚିବା ପରେ ଗଛ କଟାଯାଇଥିଲା। ଉକ୍ତ ବଉଳ କାଠକୁ ଚିରଟ କରାଯିବା ପରେ ଶଗଡ଼ରେ ପୁରୀ ଶ୍ରୀମନ୍ଦିରକୁ ଅଣାଯାଇଛି ।