ପୁରୀ: ଓଡିଆ ଝିଅ ବୈଶାଳୀ ମହାନ୍ତି ବିଶ୍ଵବ୍ୟାଙ୍କ ସମ୍ମିଳନୀରେ ରଖିବେ ବକୃତା । ଆସନ୍ତା ଏପ୍ରିଲ ୧୦ରୁ ୧୬ ଯାଏଁ ବିଶ୍ବବ୍ୟାଙ୍କର ମୁଖ୍ୟାଳୟ ଆମେରିକାର ୱାସିଂଟନ ଡିସିରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ଜାତିସଂଘର ସଦସ୍ୟ ଥିବା ୧୯୩ ରାଷ୍ଟ୍ରର ଅର୍ଥମନ୍ତ୍ରୀଙ୍କ ସମେତ ବିଭିନ୍ନ ଦେଶର ରିଜର୍ଭ ବ୍ୟାଙ୍କ୍ ମୁଖ୍ୟ ଯୋଗଦେବେ । ତେବେ ମିଳିତ ଜାତିସଂଘର ସିନିୟର୍ ପଲିସି ଅଫିସର୍ ତଥା ନୀତି ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଓଡ଼ିଶା ତଥା ପୁରୀ ଝିଅ ବୈଶାଳୀ ମହାନ୍ତିଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି ।
ବୈଶାଳୀଙ୍କ ଉଚ୍ଚକୋଟୀର କାର୍ଯ୍ଯଦକ୍ଷତା ଯୋଗୁଁ ଏହି ଅନ୍ତର୍ଜାତୀୟ ମଞ୍ଚରେ ତାଙ୍କ ବାର୍ତ୍ତା ରଖିବା ପାଇଁ ତାଙ୍କୁ ନିମନ୍ତ୍ରଣ କରଯାଇଛି । ତେବେ ଏତେ କମ ବୟସରୁ ବୈଶାଳୀଙ୍କୁ ବିଶ୍ଵବ୍ୟାଙ୍କ୍ ସମ୍ମିଳନୀରେ ଯୋଗଦେବାକୁ ଆମନ୍ତ୍ରଣ କରାଯାଇଥିବାରୁ ତାଙ୍କ ପରିବାର ଓ ବନ୍ଧୁ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ପୁରୀ ସହରରେ ମଧ୍ଯ ଏହା ବେଶ୍ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବୈଶାଳୀଙ୍କ ସଫଳତାକୁ ନେଇ ପୁରୀବାସୀ ଗର୍ବ ଅନୁଭବ କରିଛନ୍ତି । ଆଗାମୀ ଦିନରେ ବୈଶାଳୀ ଭାରତ ଏବଂ ଓଡ଼ିଶାର ଗୌରବ ସାରା ବିଶ୍ଵରେ ଆହୁରି ବଢ଼ାନ୍ତୁ ବୋଲି ସମସ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
ବିଶ୍ଵବ୍ୟାଙ୍କ ସମ୍ମିଳନୀରେ ବକୃତା ରଖିବେ ଓଡିଆ ଝିଅ ବୈଶାଳୀଙ୍କ ଶିକ୍ଷା ଓ ବ୍ୟକ୍ତିଗତ ଜୀବନ: ଜାତିସଂଘର ବରିଷ୍ଠ ନୀତି ଅଧିକାରୀ ଥିବା ଓଡ଼ିଆ ଝିଅ ବୈଶାଳୀ ମହାନ୍ତିଙ୍କ ଜନ୍ମ ପବିତ୍ର ପୁରୀ ସହରରେ । ଜାତୀୟ ମହିଳା କମିଶନ ସଦସ୍ୟା ମାନସୀ ପ୍ରଧାନ ଏବଂ ଅବସରପ୍ରାପ୍ତ ବରିଷ୍ଠ ଯନ୍ତ୍ରୀ ରାଧା ବିନୋଦ ମହାନ୍ତିଙ୍କ ଝିଅ ହେଉଛନ୍ତି ବୈଶାଳୀ ମହାନ୍ତି । ପୁରୀରେ ଜନ୍ମିତ ବୈଶାଳୀ ତାଙ୍କର ପ୍ରାଥମିକ ଶିକ୍ଷା ପୁରୀର ସୁନାମଧନ୍ୟ ସ୍କୁଲ୍ ବ୍ଲେସ ସାକ୍ରାମେଣ୍ଟ ହାଇସ୍କୁଲ ପରେ ଭୁବନେଶ୍ବରର ଇଣ୍ଟରନେସନାଲ ସ୍କୁଲରେ ସ୍ନାତକ ଓ ପରେ ଦିଲ୍ଲୀର ପ୍ରସିଦ୍ଧ ଲେଡି ଶ୍ରୀରାମ କଲେଜରୁ ମାଷ୍ଟର ଡିଗ୍ରୀ ହାସଲ କରିଥଲେ । ବୈଶାଳୀ ଲଣ୍ଡନର ଅକ୍ସଫୋର୍ଡ ବିଶ୍ଵ ବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରି ୨୦୧୬ରେ ବେଷ୍ଟ ଗ୍ରାଜୁଏଟ ଭାବେ 'ହାଇ ପ୍ରୋଫାଇଲ ଆଚିଭମେଣ୍ଟ ଆୱାର୍ଡ' ପାଇଥିଲେ ।
ବିଶ୍ଵବ୍ୟାଙ୍କ ସମ୍ମିଳନୀରେ ବକୃତା ରଖିବେ ଓଡିଆ ଝିଅ ସାରା ବିଶ୍ଵରେ ପ୍ରଶଂସିତ ହୋଇଛନ୍ତି ବୈଶାଳୀ: ୨୦୧୭ ବୈଶାଳୀ ମିଳିତ ଜାତିସଂଘର ଅନ୍ତର୍ଜାତୀୟ ସିଭିଲ ସେବା ପାଇଁ ମନୋନୀତ ହୋଇଥିଲେ । ପରେ ୨୦୨୦ରେ ସେ ଜାତିସଂଘର ନୀତି ଅଧିକାରୀ ଭାବେ ନିଯୁକ୍ତ ପାଇଥିଲେ । ଏଥିରେ ସେ ବେଶ୍ ଦକ୍ଷତାର ସହ କାର୍ଯ୍ୟ କରି ସାରା ବିଶ୍ଵରେ ପ୍ରଶଂସିତ ହୋଇଛନ୍ତି । ଗତ ୨୦୨୨ରେ ଓଡ଼ିଶା ସରକାର ବୈଶାଳୀଙ୍କୁ ସ୍ଵତନ୍ତ୍ର ଦୂତ ଭାବେ ନିଯୁକ୍ତ କରିଥିଲେ । ଋଷ- ୟୁକ୍ରେନ ଯୁଦ୍ଧ ବେଳେ ଓଡ଼ିଆ ଛାତ୍ରଙ୍କୁ ଉଦ୍ଧାର ପାଇଁ ତାଙ୍କୁ ଦାୟିତ୍ଵ ଦିଆଯାଇଥିବା ବେଳେ ଏହାକୁ ସେ ଅତି ଦକ୍ଷତାର ସହ ପରିଚାଳନା କରିଥିଲେ ।
ବିଶ୍ଵବ୍ୟାଙ୍କ ସମ୍ମିଳନୀରେ ବକୃତା ରଖିବେ ଓଡିଆ ଝିଅ ବୈଶାଳୀ ଇଟିଭି ଭାରତ, ପୁରୀ