ପୁରୀ: ଜଗନ୍ନାଥ ଧାମ ହେବ ସର୍ବୋତ୍ତମ ସଫେଇ ଧାମ । ଏ ନେଇ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ । ସଫେଇ ଅଭିଯାନ ନିମନ୍ତେ ଲୋକଙ୍କୁ ସଚେତନ କରିବା ସହିତ ସଧାରଣ ବ୍ୟକ୍ତି ଓ ସ୍ଥାନୀୟ ବ୍ୟକ୍ତିଙ୍କ ସହଯୋଗ ରହିଲେ ପୁରୀ ଏକ ସ୍ବଚ୍ଛ ସହର ଭାବରେ ପରିଗଣିତ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।
ନୀଳାଦ୍ରୀ ବେଳାଭୂମିରେ ବିଭିନ୍ନ ସାହିର ନେତୃସ୍ତରୀୟ ବ୍ୟକ୍ତିମାନଙ୍କୁ ନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଛି । ସଫେଇକୁ ନେଇ ବିଭିନ୍ନ ଲେନରେ କମିଟିମାନ ଗଠନ କରାଯାଇଛି । ଏହିଭଳି ପ୍ରାୟ ୭୦୦ କମିଟି ଗଠନ କରାଯାଇଛି । ସଂପୃକ୍ତ ଲେନରେ କମିଟି ପ୍ରତିନିଧିମାନେ ଆବର୍ଜନାର ପୃଥକୀକରଣ ଉପରେ ନଜର ରଖିବେ । ସେମାନେ ସେହି ସାହିରେ ପ୍ରେରକ ଓ ପ୍ରହରୀ ଭାବେ କାମ କରିବେ । ସଫେଇକୁ ନେଇ ସାହିମାନଙ୍କ ମଧ୍ୟରେ ସୌହାର୍ଦ୍ଧ୍ୟମୂଳକ ପ୍ରତିଯୋଗିତା ହେବ । ପ୍ରତି ରବିବାର ସ୍ଥାନୀୟ ବାସିନ୍ଦାମାନେ ସଫେଇ ଅଭିଯାନରେ ସାମିଲ ହେବେ । ଆସନ୍ତା ୨୦ ତାରିଖ ମଧ୍ୟରେ ବିଭିନ୍ନ ସାହିର ସଫେଇକୁ ନେଇ ମୂଲ୍ୟାୟନ କରାଯିବ ଏବଂ ଶ୍ରେଷ୍ଠ ସାହିମାନଙ୍କୁ ତୁଳନାତ୍ମକ ଭାବେ ଉନ୍ନୟନ କାର୍ଯ୍ୟରେ ସହାୟତା ପ୍ରଦାନ କରାଯିବ ।