ପୁରୀ: ଶ୍ରୀମନ୍ଦିର ନାଟମଣ୍ଡପ ବିମ୍ ଅସୁରକ୍ଷିତ ଥିବା ଆମିକସ୍ କ୍ୟୁରୀ ଏନ୍କେ ମହାନ୍ତି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ବିଭିନ୍ନ ମହଲରେ ଏଏସ୍ଆଇର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଏଏସ୍ଆଇ ତତ୍ପର ହୋଇଛି । ଏଏସ୍ଆଇ ନିର୍ଦ୍ଦେଶକ ଏବଂ ଓଡିଶା ଏଏସ୍ଆଇ ଅଧିକ୍ଷକ ମିଳିତ ଭାବେ ଶ୍ରୀମନ୍ଦିର ଯାଇ ନାଟମଣ୍ଡପ ବିମ୍ର ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ତେବେ ନାଟମଣ୍ଡପ ବିମ୍ ଯଦିଓ ଦୁର୍ବଳ ରହିଛି, ହେଲେ ହଠାତ ସେଭଳି କିଛି ଅଘଟଣ ଘଟିବାର ସମ୍ଭାବନା ନଥିବା ସ୍ଥିତି ଅନୁଧ୍ୟାନ ପରେ ଏଏସ୍ଆଇର ଓଡ଼ିଶା ଅଧିକ୍ଷକ ଜିବି ଗଡ଼ନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ନାଟମଣ୍ଡପ ବିମ୍ରେ ଥିବା ଫାଟର ମରାମତି ଓ ଏହାର ସୁରକ୍ଷା ପାଇଁ ଏଏସ୍ଆଇ ଏବଂ ଶ୍ରୀମନ୍ଦିର କୋର କମିଟି ସଦସ୍ୟମାନେ ନଜର ରଖିଛନ୍ତି । ଏହାର ମରାମତି ମଧ୍ୟ ସଠିକ୍ ଭାବରେ କରାଯିବ ।" ଏଏସ୍ଆଇ ଟିମ୍ ଶ୍ରୀମନ୍ଦିର ପରିଦର୍ଶନରେ ଆସିଥିବା ବେଳେ ରଥଯାତ୍ରା ସମୟରେ ହୋଇଥିବା ମରାମତି ଏବଂ ସଂରକ୍ଷଣ କାର୍ଯ୍ୟର ସମୀକ୍ଷା କରିଥିଲେ । ସେହିପରି ଆଗାମୀ ଦିନରେ ମରାମତି ଓ ସଂରକ୍ଷଣ କାର୍ଯ୍ୟ କିଭଳି ସଠିକ୍ ଭାବେ ହୋଇପାରିବ ତାହା ମଧ୍ୟ ସମୀକ୍ଷା କରିଛନ୍ତି ଏଏସ୍ଆଇ ଟିମ୍ ।
ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ଫାଟ: ଆନ୍ଦୋଳନ ଚେତାବନୀ ଦେଲା ଜିଲ୍ଲା କଂଗ୍ରେସ ଓ ଜଗନ୍ନାଥପ୍ରେମୀ