ପୁରୀ: ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଡାଇରେକ୍ଟର ଜେନେରାଲ ଭି. ବିଦ୍ୟାବତୀ ଆଜି(ସୋମବାର) ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏହାସହ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପରିକ୍ରମା ମାର୍ଗ ପ୍ରକଳ୍ପ ମାଷ୍ଟର ପ୍ଲାନ ର ସମୀକ୍ଷା କରିଛନ୍ତି । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବାନେଇ ASIର ମୋହର ବାଜିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର । ଭି. ବିଦ୍ଯାବତୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ ତାଙ୍କୁ ସ୍ବାଗତ କରିବା ପରେ ପ୍ରଥମେ ଶ୍ରୀମନ୍ଦିର ଯାଇ ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧା ବିଗ୍ରହ, ମା’ ବିମଳା ଓ ମା’ ମହାଲକ୍ଷ୍ମୀଙ୍କୁ ଦର୍ଶନ କରି ଫେରିଥିଲେ ।
ଏହାପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ, ଟାଟା ପାୱାର, ଓବିସିସି, ପୌରପାଳିକା ଓ ଏଏସଆଇର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସମୀକ୍ଷା କରିଥିଲେ । ଶ୍ରୀକ୍ଷେତ୍ରକୁ ବିଶ୍ବସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ନଭେମ୍ବର ୨୪ ତାରିଖରେ ପୁରୀ ଆସି ଯାତ୍ରୀ ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଆଗାମୀ ଦେଢବର୍ଷ ଭିତରେ ଏହି କାର୍ଯ୍ୟ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ତେବେ ଏହି ପ୍ରକଳ୍ପ ପାଇଁ ୩୩୧ କୋଟି ୨୮ ଲକ୍ଷ ଟଙ୍କାର ଟେଣ୍ତର ହୋଇଛି । ଟାଟା ପ୍ରୋଜେକ୍ଟ ଏହି କାର୍ଯ୍ୟର ଦାୟିତ୍ବ ନେଇଥିବା ବେଳେ ପ୍ରଥମେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵର ସୌନ୍ଦର୍ଯ୍ୟକରଣ ସହ ପରିକ୍ରମା ମାର୍ଗର କାର୍ଯ୍ୟ ଆରମ୍ଭ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ତେବେ ଯାତ୍ରୀ ପରିକ୍ରମା ପ୍ରକଳ୍ପରେ ଦେଶର ଅନ୍ୟାନ୍ୟ ଧାର୍ମିକ ପୀଠ ଅପେକ୍ଷା ପୁରୀ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନଙ୍କୁ ମିଳିବ ସ୍ବତନ୍ତ୍ର ବ୍ୟବସ୍ଥା । ଏହି ମେଗା ପ୍ରକଳ୍ପର ଚାରୋଟି ବିଶେଷତ୍ବ ରହିଛି ।