ପୁରୀ/ଖୋର୍ଦ୍ଧା:ପକ୍ଷୀଙ୍କ ଭୂସ୍ବର୍ଗ କୁହାଯାଉଥିବା ଚିଲିକାରେ ଶେଷ ହୋଇଛି ପକ୍ଷୀ ଗଣନା । ଚଳିତ ଥର ଚିଲିକାକୁ ଆସିଛନ୍ତି 187 ପ୍ରଜାତିର 11 ଲକ୍ଷ 37 ହଜାର 759ଟି ପକ୍ଷୀ । ଦଶ ବର୍ଷ ପରେ ଚିଲିକାରେ ଏକ ନୂଆ ପ୍ରଜାତିର ପକ୍ଷୀ ଆସିଛି । ଯାହାର ନାମ ପଲାଜ ଫିସ ଇଗଲ । ନଳବଣରେ ସର୍ବାଧିକ 3 ଲକ୍ଷ 47 ହଜାର 280 ପକ୍ଷୀ ଦେଖିବାକୁ ମିଳିଛି । ନର୍ଦନ ପିଙ୍କଟେଲ ପ୍ରଜାତିର ପକ୍ଷୀ ସର୍ବାଧିକ 2 ଲକ୍ଷ 18 ହଜାର 614 ଆସିଥିବା ବେଳେ ପେଲିକାନ ପ୍ରଜାତି ଗୋଟିଏ ମାତ୍ର ଦେଖାଯାଇଛି । ଗତ ବର୍ଷ ଚିଲିକାରେ 184 ପ୍ରଜାତିର 11 ଲକ୍ଷ 31 ହଜାର 929 ଆସିଥିବା ବେଳେ ଚଳିତ ବର୍ଷ 5 ହଜାର 830ଟି ପକ୍ଷୀ ବୃଦ୍ଧି ପାଇଛି ।
ଗତ ବର୍ଷ ବିଦେଶାଗତ ପକ୍ଷୀ 105 ପ୍ରଜାତିର 10 ଲକ୍ଷ 93 ହଜାର 49ଟି ଥିବାବେଳେ ଦେଶୀ ପକ୍ଷୀ 79 ପ୍ରଜାତିର 38 ହଜାର 880 ଥିଲେ । ଚଳିତ ବର୍ଷ ସମନ୍ତରାଳ ଭାବେ 108 ପ୍ରଜାତିର 10 ଲକ୍ଷ ୯୮ ହଜାର 813 ବିଦେଶୀ ପକ୍ଷୀ ଆସିଥିବାବେଳେ ଘରୋଇ ପକ୍ଷୀଙ୍କ ସଂଖ୍ୟା 38 ହଜାର 946ଟି 79 ପ୍ରଜାତିର ଦେଖିବାକୁ ମିଳିଛି । ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା କହିଛନ୍ତି ଚିଲିକା ଡ଼ିଏଫଓ । ଗୁରୁବାର ସକାଳ 6 ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇ ମଧ୍ୟାହ୍ନରେ ଶେଷ ହୋଇଥିଲା । ମୋଟ 21ଟି ଟିମ ବାଲୁଗାଁଟାଙ୍ଗୀ ସାତପଡ଼ା, ରମ୍ଭା, ଚିଲିକା ଓ ନୂଆପଡ଼ାରେ ପକ୍ଷୀ ଗଣନାରେ ନିୟୋଜିତ ହୋଇଥିଲେ । ମୋଟ 118 ଜଣ କର୍ମଚାରୀ ପକ୍ଷୀ ଗଣନା କରିଥିଲେ ।