ବ୍ରହ୍ମଗିରି:ଅଣସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ । ପ୍ରଭୁ ଅଲାରନାଥଙ୍କ ଦର୍ଶନ ନେଇ ବ୍ରହ୍ମଗିରିରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଛି । ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ମହାପ୍ରଭୁ ଜ୍ଵର ରୋଗରେ ପିଡ଼ୀତ ଅଛନ୍ତି । ଆଜିଠୁ ମହାପ୍ରଭୁଙ୍କ ଅଣସର ନୀତି ଆରମ୍ଭ ହୋଇଛି । ଏହା ୧୫ ଦିନ ଧରି ଚାଲୁ ରହିବ । ଦଇତାପତିମାନେ ଜ୍ଵରାକ୍ରାନ୍ତ ମହାପ୍ରଭୁଙ୍କୁ ଗୁପ୍ତ ଉପଚାର ଓ ଗୁପ୍ତ ସେବା କରୁଛନ୍ତି । ମହାପ୍ରଭୁ ଅଣସରେ ଥିବାରୁ ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ । ତେଣୁ ଦ୍ବିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ଅଲାରନାଥ ପୀଠରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ଅଲାରନାଥ ପୀଠ ଚଳଚଞ୍ଚଳ ହୋଇଛି ।
ଅଣସର ସମୟରେ ଶ୍ରୀଜୀଉମାନେ ଶ୍ୱେତ ବସ୍ତ୍ର ପରିଧାନ କରିବାର ବିଧି ରହିଥିବା ବେଳେ ତୁଳସୀ ମଧ୍ୟ ଲାଗି କରାଯାଇ ନଥାଏ । ୧୫ ଦିନ ଧରି ମହାପ୍ରଭୁଙ୍କୁ କେବଳ ଧଳା ଫୁଲ ଲାଗି କରା ଯାଇଥାଏ। ତେବେ ଅଣସର ଘରେ ଥିବା ମହାପ୍ରଭୁଙ୍କ ପାଖରେ ଏହି ୧୫ ଦିନ ଚକଟା ଏବଂ ପଣା ଭୋଗ କରାଯାଉଥିବା ବେଳେ ପଟିଦିଅଁଙ୍କୁ ଅନ୍ନ ମହାପ୍ରସାଦ ଭୋଗ କରାଯାଇଥାଏ । ଦଶାବତାର ଠାକୁରଙ୍କ ସମେତ ଶ୍ରୀଜଗନ୍ନାଥଙ୍କ ବଦଳରେ ଅନନ୍ତ ନାରାୟଣ, ଶ୍ରୀ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଏବଂ ଦେବୀ ସୁଭଦ୍ରାଙ୍କ ବଦଳରେ ମା ଭୁବନେଶ୍ଵରୀ ପଟିଦିଅଁ ଭାବେ ପୂଜିତ ହେଉଛନ୍ତି । ଏହି ଅଣସର ସମୟରେ ପୁରୀଠାରୁ ୨୦ କି.ମି ଦୂରରେ ଥିବା ବ୍ରହ୍ମଗିରିରେ ବିଷ୍ଣୁ ରୂପି ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି । ଅଲାରନାଥଙ୍କୁ ଦର୍ଶନ ନେଇ ଚଳଚଞ୍ଚଳ ହୋଇଛି ପୀଠ ।
ଏହି ବି ପଢନ୍ତୁ...WATCH VIDEO: ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ, କୃତ୍ୟ କୃତ୍ୟ ଭକ୍ତ