ପୁରୀ:ପୁରୀରେ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ । ଏହାକୁ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଆସନ୍ତା ସପ୍ତାହରେ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ( ଏଏଆଇ)ର ଏକ ଟିମ୍ ପୁରୀ ଗସ୍ତ କରି ଏୟାରପୋର୍ଟ ନିର୍ମାଣର ଭିତ୍ତିଭୂମି ଅନୁଧ୍ୟାନ କରିବେ । ଏନେଇ ସାଂସଦ ପିନାକୀ ମିଶ୍ର ସୂଚନା ଦେଇଛନ୍ତି ଏବଂ ପୁରୀରେ ବିମାନ ବନ୍ଦର ହେବା ଏକ ପ୍ରକାର ସୁନିଶ୍ଚିତ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ସେ କହିଛନ୍ତି, ସହରରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏବଂ ପୁରୀକୁ ଏକ ବିଶ୍ବସ୍ତରୀୟ ସହରର ପରିଚୟ ଦେବାକୁ ମୁଖ୍ୟମନ୍ତ୍ରୀ ଏଠାରେ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଯାହାଫଳରେ ଏହା ବିଦେଶୀ ପର୍ଯ୍ୟଟକଙ୍କୁ ବହୁଳ ମାତ୍ରାରେ ଆକୃଷ୍ଟ କରିବ । ଏଣୁ ମୁଖ୍ୟମନ୍ତ୍ରୀ ଏୟାରପୋର୍ଟ ପ୍ରତିଷ୍ଠା ନେଇ ଜାନୁୟାରୀ ପହିଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ପତ୍ର ମଧ୍ୟ ଲେଖିଥିଲେ । ଯାହାକୁ ନେଇ ଏଏଆଇର ଏକ ଦଳ ପୁରୀ ଗସ୍ତ କରି କେଉଁ ଅଞ୍ଚଳରେ ଏୟାରପୋର୍ଟ ହେବ ଏବଂ କେତେ ଜାଗାର ଆବଶ୍ୟକତା ରହିଛି ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବେ ।