ପୁରୀ:ଆଜିଠୁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ବାର । ସକାଳ ୭ଟାରୁ ପୁରୀବାସୀଙ୍କ ପାଇଁ ଖୋଲିଛି ପଶ୍ଚିମ ଦ୍ବାର । ପରିଚୟପତ୍ର ଦେଖାଇ ମନ୍ଦିରରେ ପ୍ରବେଶ କରି ଠାକୁର ଦର୍ଶନ କରିଛନ୍ତି ସହରବାସୀ । ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବିରେ ଆନ୍ଦୋଳନ ଜୋରଦାର ହେଉଥିବା ବେଳେ ଆଜିଠାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଦୀର୍ଘଦିନ ପରେ ପରେ ଭକ୍ତଙ୍କୁ ଏହି ସୁଯୋଗ ମିଳିଛି।
ପଶ୍ଚିମ ଦ୍ବାର ସମ୍ମୁଖରେ ଛୋଟ ବ୍ୟାରିକେଡ୍ କରାଯାଇଛି। ପଶ୍ଚିମ ଦ୍ବାର ନିକଟରେ ଥିବା ସେଲଟର୍ ପ୍ୟାଭିଲିୟନରେ ଜୋତା ଓ ଅନ୍ୟ ଆସବାବ ପତ୍ର ରଖି ଧାଡ଼ିରେ ପ୍ରବେଶ କରୁଛନ୍ତି। ଅନ୍ୟପଟେ ପଶ୍ଚିମ ଦ୍ୱାର ଖୋଲିଥିଲେ ମଧ୍ୟ ପୁରୀ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କାରଣ ପୁରୀବାସୀ ଶ୍ରୀ ମନ୍ଦିର ଚାରି ଦ୍ଵାର ଖୋଲିବା ନେଇ ଦାବି କରିଥିଲେ। ପୁରାଣର ବର୍ଣ୍ଣନା ଅନୁଯାୟୀ ପୂର୍ବ, ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦ୍ଵାର ଧର୍ମ, ଅର୍ଥ, କାମ ଓ ମୋକ୍ଷ ଦ୍ଵାର। ଭକ୍ତ ମାନେ ବିଭିନ୍ନ କାମନା ନେଇ ନିର୍ଦ୍ଦିଷ୍ଟ ଦ୍ଵାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରନ୍ତି। କିନ୍ତୁ ପଶ୍ଚିମ ଦ୍ୱାର ଦେଇ କେବଳ ପ୍ରଵେଶ ଅନୁମତି ଥିବାରୁ ଏହି ଧର୍ମୀୟ ଅଧିକାର ରୁ ଭକ୍ତ ବଞ୍ଚିତ ହୋଇଛନ୍ତି। ପ୍ରଶାସନ ଭକ୍ତଙ୍କ ଧର୍ମୀୟ ଭାବନାରେ ହସ୍ତକ୍ଷେପକୁ ନେଇ ପୁରୀ ବାସିନ୍ଦାଙ୍କ ମଧ୍ୟ ରେ ଅସନ୍ତୋଷ ପ୍ରକାଶ ପାଇଛି।
ସେହିପରି ଶ୍ରୀ ମନ୍ଦିର ଚାରି ପାଖରେ ଥିବା ସାହି ଗୁଡିକରେ ହଜାର ହଜାର ବାସିନ୍ଦା ରହୁଛନ୍ତି। ପୂର୍ବରୁ ନିଜ ସୁବିଧା ଅନୁଯାୟୀ ବିଭିନ୍ନ ଦ୍ଵାର ଦେଇ ପ୍ରଵେଶ କରି ମହାପ୍ରଭୁଙ୍କୁ ଦର୍ଶନ କରି ଖୁବ କମ ସମୟରେ ଫେରି ଆସୁଥିଲେ। ହେଲେ ପଶ୍ଚିମ ଦ୍ୱାର ଦେଇ କେବଳ ପ୍ରଵେଶ ନିୟମ ପରେ ସ୍ଥାନୀୟବାସିନ୍ଦା ପୁଣି ବୁଲି ବୁଲି ପଶ୍ଚିମ ଦ୍ୱାର ଆସିବେ। ଫଳରେ ଲୋକଙ୍କୁ ଯାତାୟତରେ ସମସ୍ୟା ହେବ। ବୟସ୍କ ବ୍ୟକ୍ତି ବେଶ୍ ଅସୁବିଧା ଭୋଗିବେ। ଏଣୁ ପୁରୀବାସୀଙ୍କ ପାଇଁ କେବଳ ପଶ୍ଚିମ ଦ୍ୱାର ଖୋଲିବା ଦ୍ୱାରା କିଛି ଲାଭ ହେବନି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ତେଣୁ ପୂର୍ବ ଭଳି ଚାରି ଦ୍ଵାର ଖୋଲିବାକୁ ପୁରୀ ବାସି ଦାବି କରିଛନ୍ତି।