ପୁରୀ:ପୁଣି ଜୋରଦାର ହେଲା ତିନି ରଥ ନିର୍ମାଣ କାର୍ଯ୍ୟ । ସମ୍ଭାବ୍ୟ ବାତ୍ୟା ୟସ ପ୍ରଭାବକୁ ଦୃଷ୍ଟିରେ ରଖି ରଥଖଳାରେ ରଥନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା । ୟସ ବିପଦ ଟଳିବା ପରେ ବୁଧବାର ଅପରାହ୍ନରୁ ରଥନିର୍ମାଣ ଆରମ୍ଭ ହୋଇଛି । ରଥଖଳା ଚାଳିକୁ ପୂର୍ବଭଳି ପ୍ରସ୍ତୁତ କରି ଆବଶ୍ୟକ କଟକଣା ଲାଗୁ କରାଯାଇଛି ।
ଭୋଇ ସେବକ ରଥଖଳାରେ ଛାଞ୍ଚ ପକାଇବା ପରେ ଖୋଲି ଦିଆଯାଇଥିବା କପଡାକୁ ପୁଣି ବାନ୍ଧି ଘେଡାଇ ଦେବା ସହ ସର୍ବସାଧାରଣଙ୍କ ଚଳାଚଳ ଉପରେ କଟକଣା ଲଗାଯାଇଛି । ରଥଖଳାରେ ତୁମ୍ବ ବିନ୍ଧ ସହ ଗୁଜ କାମ ଚାଲିଛି । ତିନି ରଥର ୪୨ ତୁମ୍ଭରୁ ୧୨ଟି ତୁମ୍ବ ର ବିନ୍ଧ କାମ ସରିଛି । ଆଉ ୭ ତୁମ୍ବର ୧୬ଯୋଡ଼ା ବିନ୍ଧ କାମ ଜାରି ରହିଛି । ସେପଟେ ରୂପକାର ସେବକ କୋଣଗୁଜ କାମକୁ ତ୍ବରାନ୍ବିତ କରିଛନ୍ତି । ଗୁଜ ପଟାରେ ଖୋଦେଇ କରି ନୃସିଂହ ପ୍ରତିଛବି ଆଙ୍କୁଛନ୍ତି । ସେପଟେ ପୁରୀରେ କୋରୋନା ସଂକ୍ରମଣ କମ ହେବାର ନାଁ ଗନ୍ଧ ଧରୁନାହିଁ ।