ପୁରୀ: ଶ୍ରୀଜଗନ୍ନାଥଙ୍କ ପାଖରେ ରଥ ଉପରେ ଆଷାଢ ଶୁକ୍ଲ ଦ୍ବାଦଶୀ ଦିନ ନୀଳାଦ୍ରି ବିଜେର ପୂର୍ବଦିନ ଅଧରପଣା ଲାଗି କରାଯାଏ । ଆଜି ରବିବାର, ତ୍ରୟୋଦଶୀ ତିଥିରେ ରଥ ଉପରେ ତିନି ଠାକୁରଙ୍କ ଅଧରପଣା ଲାଗି ଅନୁଷ୍ଠିତ ହେବ । ରାତି ୮ଟା ସୁଦ୍ଧା ତିନି ରଥ ବାଡ଼ରେ ଏହି ନୀତି ସଂପନ୍ନ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି । ଏଥି ପାଇଁ ଶ୍ରୀବିଗ୍ରହଙ୍କ ଅଧର ଉଚ୍ଚାର ଅଧର ହାଣ୍ଡି ପ୍ରସ୍ତୁତ କରି ରଖାଯାଇଥାଏ, ସେଥିପାଇଁ ଏହି ପଣା ଭୋଗକୁ 'ଅଧର ପଣା' ବୋଲି କୁହାଯାଏ ।
ଲୋକଙ୍କ ବିଶ୍ବାସରେ ଆଶାୟୀ ଚଣ୍ଡି ଚାମୁଣ୍ଡା ଆଦିଙ୍କର ପରିତୃପ୍ତି ନିମନ୍ତେ ଏହା ପ୍ରଦାନ କରାଯାଏ । ଭୂତ ପ୍ରେତଙ୍କ ଉଦ୍ଦେଶ୍ୟରେ ଏହା ଉଦ୍ଦିଷ୍ଟ ଥିବାରୁ ରଥ ଉପରେ ପଣା ହାଣ୍ଡି ଭଙ୍ଗାଯାଏ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ ୯ଟି ମାଟିପାତ୍ର ସଜ ବସିବ । ସିଂହଦ୍ବାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣିଆ ଆପଟ ସେବକମାନେ ମୁହଁରେ ତୁଣ୍ଡି ବାନ୍ଧି ପାଣି ଆଣିବେ । ପାଣି ଛଣା ହୋଇ ପିତ୍ତଳ ହଣ୍ଡାରେ ରଖାଯିବା ପରେ ସୁପକାର ସେବକମାନେ ପଣା ପ୍ରସ୍ତୁତ କରିବେ । ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶ୍ରଣରେ ଏହି ପଣା ପ୍ରସ୍ତୁତ କରାଯିବ । ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକ ଏବଂ ପୂଜାପଣ୍ଡା ସେବକ ପଣା ହାଣ୍ଡିକୁ ତିନି ରଥର ପୋଖରିଆ ଉପରେ ପୂଜାର୍ଚ୍ଚନା କରିବା ପରେ ଏହାକୁ ଭାଙ୍ଗିବେ ।
ନୀତି ନିର୍ଘଣ୍ଟ ମୁତାବକ, ଆସନ୍ତାକାଲି ସକାଳ ୬ରୁ ୬ଟା୩୦ ମଧ୍ୟରେ ମଙ୍ଗଳଆଳତୀ, ୭ଟାରେ ମଇଲମ, ୮ଟାରେ ଅବକାଶ, ୯ଟାରେ ବେଶ ଶେଷ ସମ୍ପୂର୍ଣ୍ଣ ହେବ । ଏହାପରେ ୧୦ଟା୩୦ ମଧ୍ୟରେ ଗୋପାଳବଲ୍ଲଭ, ୧୧ଟା୩୦ରୁ ୧୨ଟା୩୦ ସକାଳଧୂପ, ମଧ୍ୟାହ୍ନ ଗୋଟାଏ ୩୦ରେ ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ, ମଧ୍ୟାହ୍ନ ୨ଟା ସୁଦ୍ଧା ବେଶ ଶେଷ ହେବ । ଅପରାହ୍ନ ୩ଟା୩୦ରୁ ୪ଟା୩୦ ମଧ୍ୟାହ୍ନ ଧୂପ ହୋଇ ରାତି ୮ଟା ସୁଦ୍ଧା ତିନି ରଥରେ ଅଧରପଣା ନୀତି ଶେଷ ହେବ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ