ପୁରୀ: ମାନବିକତା ଭୁଲିଗଲେ ସରକାରୀ ବାବୁ । ଗରୀବ ଲୋକର ଦୁଃଖ ନ ବୁଝି ଆଣଦେଖା କରି ଚାଲିଗଲେ। ପୁରୀ ଜିଲ୍ଲା କଣାସ ବ୍ଲକରେ ଅନୁଷ୍ଠିତ ହୋଇଥିବା ଜନଶୁଣାଣୀ ଶିବିରରେ ଏଭଳି କିଛି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ବୃଦ୍ଧ ଆବାସ ଯୋଜାନରେ ଘର ଖଣ୍ଡିଏ ଓ କିଛି ଆର୍ଥିକ ସାହାଯ୍ୟ ପାଇଁ ଜନଶୁଣାଣି ଶିବିରକୁ ଆସିଥିଲେ । ଶିବିରରେ ଉପସ୍ଥିତ ଥିବା ପୁରୀର ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାଏକ ଓ ଅନ୍ୟାନ୍ୟ ଉଚ୍ଚ ପଦସ୍ଥ ସରକାରୀ ଅଫିସରଙ୍କ ଆଗରେ ଅଧିଆ ପଡ଼ିଥିଲେ ବ୍ୟକ୍ତି ଜଣକ ।
ହେଲେ ବୃଦ୍ଧଙ୍କ ଅସହାୟତାକୁ ଅଣଦେଖା କରି ଚାଲିଗଲେ ପୁରୀ ଅତିରିକ୍ତ ଜିଲ୍ଲାପାଳ । ଏହି ଦୃଶ୍ୟ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି । ଏହି ଭୁଜୁଆଲକୁ ଦେଖିବା ପରେ ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ଅମାନବୀୟ ଆଚରଣକୁ ସବୁ ମହଲରେ କଡ଼ା ସମାଲୋଚନା କରାଯାଇଛି । ଗରୀବ ଲୋକଙ୍କ ସମସ୍ୟା ବୁଝିବା ପାଇଁ ଜନଶୁଣାଣି ଆୟୋଜନ କରାଯାଉଥିବା ବେଳେ ଏହା ଏବେ ପ୍ରହସନରେ ପରିଣତ ହୋଇଛି ବୋଲି ବୁଦ୍ଧିଜୀବୀ ମତ ପୋଷଣ କରିଛନ୍ତି ।
ସୂଚନାଅନୁଯାୟୀ ଗତ 11 ତାରିଖରେ କଣାସ ବ୍ଲକ ଜନଶୁଣାଣି ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୁରୀ ଅତିରିକ୍ତ ଜିଲ୍ଲାପାଳ ସମେତ ଅନେକ ଉଚ୍ଚ ପଦଧିକାରୀ ସାମିଲ ହୋଇଥିଲେ । ସେହି ସମୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିଜର ଗୁହାରୀ ଜଣାଇବା ପାଇଁ ଅଧିଆ ପଡିଥିଲେ କଣାସ ଗଡ଼ ସାହିର କାହ୍ନୁ ଚରଣ ନାୟକ। କାହ୍ନୁ ଅତ୍ୟନ୍ତ ଗରିବ ବ୍ୟକ୍ତି ହୋଇଥିବା ବେଳେ ସେ ଜରିପାଲ ଟଣା ଯାଇଥିବା ଏକ ଘରେ ରହୁଛନ୍ତି । ଏଣୁ ତାଙ୍କୁ ସରକାର ଏକ ପକ୍କା ଘର ପ୍ରଦାନ କରିବା ନେଇ ପୁର୍ବରୁ ଅନେକ ଥର ବ୍ଲକ ପ୍ରଶାସନକୁ ଗୁହାରି କରିଥଲେ । ହେଲେ ତାଙ୍କ ଅଭିଯୋଗ କେହି ଶୁଣିନଥିଲେ । ଶେଷରେ ସେ ନିରୁପାୟ ହୋଇ କଣାସ ବ୍ଲକରେ ଅନୁଷ୍ଠିତ ଜନଶୁଣାଣି ଶିବିରରେ ପହଞ୍ଚି ନିଜର ଦୁଃଖ ଜଣାଇବାକୁ ଯାଇ ପୁରୀ ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକଙ୍କ ଆଗରେ ଅଧିଆ ପଡିଥିଲେ।