ପୁରୀ:ଜଙ୍ଗଲ ଜମି ଜବରଦଖଲକୁ ବିରୋଧ । ଚନ୍ଦ୍ରଭାଗା ଜୟଦେବ ବାଟିକା ନିକଟରେ ମାର୍କେଟ କମ୍ପ୍ଲେସ ନିର୍ମାଣ ପାଇଁ କରମଙ୍ଗା ଗ୍ରାମ୍ୟ ଜଙ୍ଗଲ ଜମିକୁ ଜବରଦଖଲ କରିଥିବା ଅଭିଯୋଗ ହୋଇଛି । ଆବଶ୍ୟକ ଜାଗାଠାରୁ ଅଧିକ ଜମି ଜବରଦଖଲ କରିବା ସହ ବେଆଇନ ଭାବେ ଝାଉଁ ଜଙ୍ଗଲ ନଷ୍ଟ କରୁଥିବା ନେଇ ସୁରକ୍ଷା ଦାୟିତ୍ୱରେ ଥିବା ଇକୋ କମିଟି ପ୍ରତିବାଦ କରିଛି । ଏନେଇ କରମଙ୍ଗା ଓ ଶ୍ରୀକଣ୍ଠପୁର ବନ ପରିବେଶ ସମିତି ସଭ୍ୟମାନେ ଜଙ୍ଗଲ ନିକଟରେ ପ୍ରତିବାଦ କରି କାର୍ଯ୍ୟ ବନ୍ଦ କରିଛନ୍ତି ।
ସୂଚନା ମୁତାବକ, ରାଜ୍ୟ ସରକାରଙ୍କ ଦ୍ବାରା କୋଣାର୍କ ଚନ୍ଦ୍ରଭାଗାର ବିକାଶ ପାଇଁ ବିଭିନ୍ନ ସ୍ଥାନରେ କାର୍ଯ୍ୟ ଚାଲିଛି । ଏହାରି ମଧ୍ୟରେ ଚନ୍ଦ୍ରଭାଗା ବେଳାଭୂମି ଉନ୍ନତିକରଣ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଉନ୍ନୟନ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । ଚନ୍ଦ୍ରଭାଗା ମାର୍କେଟ ଭାଙ୍ଗି ଚନ୍ଦ୍ରଭାଗା ଜୟଦେବ ବାଟିକା ନିକଟରେ ନୂତନ ମାର୍କେଟ କମ୍ପ୍ଲେକ୍ସ ଓ ପାର୍କିଂ ବ୍ୟବସ୍ଥା ନିମନ୍ତେ ମାଟି ପୋତା କାର୍ଯ୍ୟ ଜାରି ରହିଛି। ହେଲେ ଏହି କାର୍ଯ୍ୟରେ ଠିକାଦାର ସଂସ୍ଥା ଓ ପୂର୍ତ୍ତ ବିଭାଗ ପକ୍ଷରୁ କରମଙ୍ଗା ଗ୍ରାମ୍ୟ ଜଙ୍ଗଲ ଜମିକୁ ଜବରଦଖଲ କରିଥିବା ଅଭିଯୋଗ ହୋଇଛି । ଆବଶ୍ୟକ ଜାଗାଠାରୁ ଅଧିକ ଜଙ୍ଗଲ ଜମି ଜବରଦଖଲ କରି ବେଆଇନ ଭାବେ ବିଶାଳ ଝାଉଁ ଜଙ୍ଗଲ ନଷ୍ଟ କରଯାଉଛି । ଉନ୍ନିତକରଣ ନାଁରେ ଅଭୟାରଣ୍ୟ ନଷ୍ଟ କରାଯାଉଥିବାରୁ ଇକୋ କମିଟି ପକ୍ଷରୁ ପ୍ରତିବାଦ କରାଯାଇଛି ।
ତେବେ ଏନେଇ ସମିତି ପକ୍ଷରୁ କୁହାଯାଇଛି ଯେ, ଜଙ୍ଗଲର ସୁରକ୍ଷା ପାଇଁ ଗତ 30 ବର୍ଷ ହେବ ଗ୍ରାମବାସୀ ଜଗି ରହିଛନ୍ତି। ହେଲେ ଦୁର୍ଭାଗ୍ୟର ବିଷୟ ପ୍ରଶାସନ ଏହାକୁ ଅଣଦେଖା କରି ମନ ଇଚ୍ଛା ଜଙ୍ଗଳ କାଟି ବିକାଶ କାର୍ଯ୍ୟ କରୁଛନ୍ତି । କେତେ ଜମି ଆବଶ୍ୟକ, କେତେ ବୃକ୍ଷ ନଷ୍ଟ ହେବ ଏହାର ବିକଳ୍ପ ଭାବେ କେଉଁଠାରେ ବୃକ୍ଷ ରୋପଣ ହେବ ଜଙ୍ଗଲ ସୁରକ୍ଷା ସମିତିକୁ ପ୍ରଶାସନ ଅନ୍ଧାରରେ ରଖିଛି। ପ୍ରଶାସନ ଯଦି ସ୍ପଷ୍ଟିକରଣ ନ ଦିଏ ଆଗାମୀ ଦିନରେ ଜୋରଦାର ବିରୋଧ ହେବ ବୋଲି କରମଙ୍ଗା ଗ୍ରାମ୍ୟ ବନ ସୁରକ୍ଷା ସମିତି କହିଛି।